ବେଜିଙ୍ଗ୍: ପ୍ରମୁଖ ଦ୍ୱିପାକ୍ଷିକ ଅସ୍ତ୍ରଶସ୍ତ୍ର ରାଜିନାମାର ଅଂଶସ୍ୱରୂପ ଚୀନ୍ ତା’ର ସୁଖଦୁଃଖର ବନ୍ଧୁ ପାକିସ୍ତାନ ଲାଗି ପ୍ରଥମ ଚାରିଟି ସର୍ବାଧୁନିକ ନୌବାହିନୀ ଯୁଦ୍ଧପୋତ ନିର୍ମାଣ କରୁଛି। ଅନ୍ୟାନ୍ୟ କାରରଣ ମଧ୍ୟରେ ଭାରତ ମହାସାଗରରେ ‘ରଣନୀତି କ୍ଷମତା’ର ସନ୍ତୁଳନ ରକ୍ଷା ପାଇଁ ଏହା ଆବଶ୍ୟକ ବୋଲି ଚୀନ୍ର ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି।
ମଡର୍ଣ୍ଣ ଡିଟେକ୍ସନ୍ ଆଣ୍ଡ୍ ଉଇପନ୍ ସିଷ୍ଟମ୍ର ବ୍ୟବସ୍ଥା ଥିବା ଏହି ଯୁଦ୍ଧପୋତ ଜାହାଜ, ବୁଡ଼ାଜାହାଜ ଏବଂ ନୌବାହିନୀ ଆକ୍ରମଣକୁ ପ୍ରତିହତ କରି ପାରିବ ବୋଲି ଚୀନ୍ ଷ୍ଟେଟ୍ ସିପ୍ ବିଲ୍ଡିଙ୍ଗ୍ କର୍ପୋରେସନ୍ର (ସିଏସ୍ଏସ୍ସି) କଥାକୁ ଉଦ୍ଧାର କରି ଉକ୍ତ ଗଣମାଧ୍ୟମ କହିଛି।
ଜାହାଜର ପ୍ରକାର କଥା ’ସିଏସ୍ଏସ୍ସି’ ନିର୍ଦ୍ଦିଷ୍ଟ କରି କହି ନ ଥିଲେ ବି ସଙ୍ଘାଇସ୍ଥିତ ହୁଡୋଙ୍ଗ୍-ଝୋଙ୍ଘୁଆ ସିପ୍ୟାର୍ଡରେ ତାହା ନିର୍ମାଣ ହେଉଛି।
ସେ ଜାହାଜ ସବୁ ଟାଇପ୍ ୦୫୪୧ପି ଶ୍ରେଣୀୟ ବୋଲି ପାକିସ୍ତାନୀ ନୌସେନାର ବକ୍ତବ୍ୟକୁ ଉଦ୍ଧାର କରି ଗଣମାଧ୍ୟମ କହିଛି। ଏ ଭଳି ୪ଟି ଜାହାଜ ଲାଗି ପୂର୍ବରୁ ପାକିସ୍ତାନ ବରାଦ ଦେଇଥିଲା।
ଚୀନ୍ ରପ୍ତାନି କରିଥିବା ଯୁଦ୍ଧପୋତ ମଧ୍ୟରୁ ଟାଇପ୍ ୦୫୪ଏପି ସବୁଠୁ ବଡ଼ ଏବଂ ଶକ୍ତିଶାଳୀ ବୋଲି ଏ ସଂକ୍ରାନ୍ତରେ ଅଭିଜ୍ଞତା ଥିବା ଜାହାଜ ନିର୍ମାଣ ସେକ୍ଟରର ଜଣେ ବ୍ୟକ୍ତି କହିଛନ୍ତି।