ନୂଆଦିଲ୍ଲୀ : ପୁଣି ଥରେ ଡୋକଲାମକୁ ଦଖଲ କରିବା ପାଇଁ ଚୀନର ଷଡଯନ୍ତ୍ର ସାମ୍ନାକୁ ଆସିଛି । ଭୁଟାନର ଆମୋ ଚୁ ନଦୀ ଉପତ୍ୟକାରେ ଚୀନ ବଡ଼ ଧରଣର ସାମରିକ ବ୍ୟାରାକ୍ ନିର୍ମାଣ କରିଛି। ସାଟେଲାଇଟ୍  ଫଟୋରେ ଏହି ବ୍ୟାରେକଗୁଡିକ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଏହା ପରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି ଜବାବ ମାଗିଛି ।

Advertisment

ଭୁଟାନର ଆମୋ ଚୁ ନଦୀ ଉପତ୍ୟକାରେ ଚୀନ୍ ଦ୍ୱାରା ବ୍ୟାପକ ନିର୍ମାଣକୁ ନେଇ ଭାରତୀୟ ସେନା ଗମ୍ଭୀର ଉଦବେଗ ପ୍ରକାଶ କରିଛି। ଆମୋ ଚୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଡୋକଲାମ ଉପତ୍ୟାକା ନିକଟରେ ଅଛି ଯେଉଁଠାରୁ ଭାରତର ସିଲିଗୁଡ଼ି କରିଡ଼ର ନିକଟତର ।ଏହା ଭାରତ-ଚାଇନା ଭୁଟାନ ଡୋକଲାମ ଟ୍ରାଇ-ଜଙ୍କସନଠାରୁ ଅଳ୍ପ ଦୂରରେ ଅବସ୍ଥିତ । ଏଠାରେ ବେଜିଂର ରାସ୍ତା ନିର୍ମାଣକୁ ନେଇ ୨୦୧୭ରେ ଭାରତ ଓ ଚୀନ୍ ମଧ୍ୟରେ ଏକ ବଡ଼ ସାମରିକ ବିବାଦ ହୋଇଥିଲା । ସାଟେଲାଇଟ୍ ଫଟୋଗୁଡ଼ିକରେ ଆମୋ ଚୁରେ ଯୋଗାଯୋଗ ଟାୱାର ସମେତ ପିଏଲଏ ଯବାନଙ୍କ ସ୍ଥାୟୀ ଆଶ୍ରୟସ୍ଥଳୀ ଦେଖିବାକୁ ମିଳୁଛି । ପିଏଲଏର ହଜାର ହଜାର ସୈନିକଙ୍କ ରହିବା ପାଇଁ ପ୍ରାୟ ୧୦୦୦ଟି ସ୍ଥାୟୀ ସାମରିକ ଘର ଏବଂ ଅନେକ ଅସ୍ଥାୟୀ ସେଡ୍ ଦେଖିବାକୁ ମିଳିଛି।

କଂଗ୍ରେସ ନେତା ଜୟରାମ ରମେଶ ଏକ ଟୁଇଟ କରି ଲେଖିଛନ୍ତି ଯେ ଚୀନକୁ ଭାରତୀୟ ସେନା ଜବାବ ଦେବାକୁ ସକ୍ଷମ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ସମ୍ପର୍କରେ ନିଜର ନୀରବତା ତ୍ୟାଗ କରିବା ଉଚିତ । ସଂସଦରେ ଏ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିବାକୁ ସରକାର ଦେଉନାହାନ୍ତି ।

ନିକଟରେ ଭୁଟାନର ରାଜା ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି ବୈଠକ ସଂପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା ଯେ ଭୁଟାନ ରାଜାଙ୍କ ସହିତ ଡୋକଲାମ ଉପରେ ମଧ୍ୟ ମୋଦୀଙ୍କ ଆଲୋଚନା ହୋଇଥିଲା | ସୂତ୍ର ଅନୁଯାୟୀ, ଭୁଟାନ ଭିତରେ ଡୋକଲାମରେ ନିର୍ମାଣ କରି ଚୀନ ଭୁଟାନକୁ ଅନ୍ୟ ପାର୍ଶ୍ୱରେ ଜମି ଦେବାକୁ ଚାହୁଁଛି । ଚୀନର ସୈନ୍ୟ ଏଠାରେ ରହିଲେ ତାହା ଭାରତ ପାଇଁ ବଡ଼ ବିପଦ ସୃଷ୍ଟି କରିବ କାରଣ ଯୁଦ୍ଧ ସମୟରେ ସେମାନେ ଯଦି ଚିକେନ ନେକକୁ ଅଧିକାର କରିନିଅନ୍ତି, ତେବେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ଭାରତର ମୁଖ୍ୟ ଭୂଖଣ୍ଡଠାରୁ ଅଲଗା ହୋଇଯିବ ।