ଚୀନରେ ନିର୍ମାଣ ହେଲା ୩୫୦ ଫୁଟ ଉଚ୍ଚ କୃତ୍ରିମ ଜଳପ୍ରପାତ

ବେଜିଂ : ପୂର୍ବରୁ ଅନେକ ଅସମ୍ଭବକୁ ସମ୍ଭବ କରି ଦେଖାଇଛି । ଏବେ ଆଉ ଏକ କାରନାମା ଦେଖାଇଛି ଚୀନ । ଚୀନର ଗୁଇ ଝୁ ରାଜ୍ୟର ରାଜଧାନୀ ଗୁଇୟାଂଠାରେ ଏକ ୩୫୦ ଫୁଟ ଉଚ୍ଚ କୃତ୍ରିମ ଜଳପ୍ରପାତ ତିଆରି କରାଯାଇଛି । ଲେବିଆନ ମାନସନ ନାମକ ଏକ ଉଚ୍ଚ କୋଠା ଉପରୁ ପାଣି ଛଡାଯାଇ ଏହି ଜଳପ୍ରପାତ ସୃଷ୍ଟି କରାଯାଇଛି । ଏଥିପାଇଁ ୪ଟି ପମ୍ପର ବ୍ୟବହାର କରାଯାଉଛି ।

ଏହି କୃତ୍ରିମ ଜଳପ୍ରପାତଟି ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ଏହାକୁ ଦେଖିବାକୁ ଦୂରଦୂରାନ୍ତରୁ ଅନେକ ପର୍ଯ୍ୟଟକ ଆସୁଛନ୍ତି । ଏହା ଯେବେ ପ୍ରଥମେ ପାଣିଛାଡିବା ଆରମ୍ଭ କଲା ଲୋକମାନେ ଭାବିଲେ ଯେ ବୋଧହୁଏ ଭୁଲବଶତଃ ପାଣି ବାହାରୁଛି । କିନ୍ତୁ ପରେ ଜଣାପଡିଲା ଯେ କୋଠାର ମାଲିକ ଜାଣିଶୁଣି ଏପରି କରିଛନ୍ତି । ଏବେ ଏହି ଜଳପ୍ରପାତକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ଏହା ଦ୍ୱାରା ଅଯଥା ପାଣି ଓ ବିଦ୍ୟୁତ ଶକ୍ତି ନଷ୍ଟ ହେଉଛି । ଏଣୁ ସରକାର ଏହାକୁ ବନ୍ଦ କରନ୍ତୁ ।

ସମ୍ବନ୍ଧିତ ଖବର