ବେଜିଂ: ରୁଷ୍-ୟୁକ୍ରେନ ଯୁଦ୍ଧ ଶେଷ କରିବାପାଇଁ ଚୀନ୍ ଶୁକ୍ରବାର ଜରୁରୀ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଥିଲା। କିନ୍ତୁ ପଶ୍ଚିମ ରାଷ୍ଟ୍ରମାନେ ତତ୍କ୍ଷଣାତ ଚୀନ୍ର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଚୀନ୍ ଦ୍ବାରା ଏକ ୧୨-ସୂତ୍ରୀ ‘ରାଜନୈତିକ ସମାଧାନ’ ପାଇଁ ପ୍ରସ୍ତାବ ଅଣାଯାଇଥିଲା। କିନ୍ତୁ ଚୀନ୍ ରୁଷ୍କୁ ଅସ୍ତ୍ର ଦେବାପାଇଁ ଯୋଜନା କରୁଛି ବୋଲି ପଶ୍ଚିମ ରାଷ୍ଟ୍ରମାନେ ଦାବି କରିଛନ୍ତି ଏବଂ ଚୀନ୍ର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରୁଷ୍ ଓ ୟୁକ୍ରେନ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ଆରମ୍ଭ କରିବାପାଇଁ ସମସ୍ତ ପକ୍ଷ ରୁଷ୍ ଏବଂ ୟୁକ୍ରେନକୁ ସମାନ ଭାବେ ସହଯୋଗ କରିବାପାଇଁ ଚୀନ୍ କହିଛି।
ଚୀନ୍ ମଧ୍ୟ ପରମାଣୁ ଅସ୍ତ୍ର ବ୍ୟବହାର ବିରୋଧରେ ଚେତାବନୀ ଦେଇଛି। ଚୀନ୍ କହିଛି କେବଳ ପରମାଣୁ ଅସ୍ତ୍ର ବ୍ୟବହାର ନୁହେଁ, ପରମାଣୁ ଅସ୍ତ୍ର ବ୍ୟବହାର ପାଇଁ ଧମକ ଦେବାକୁ ବି ଏହା ବିରୋଧ କରୁଛି। ତେବେ ଆମେରିକା ଚୀନ୍ର ଏହି ପ୍ରସ୍ତାବ ଉପରେ କଡ଼ା ପ୍ରତିକ୍ରିୟା ରଖିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା କହିଛନ୍ତି, ଯଦି ରୁଷ୍ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବ ଏବଂ ସେନା ପ୍ରତ୍ୟାହାର କରିବ ତେବେ ଯୁଦ୍ଧ ତତ୍କ୍ଷଣାତ ବନ୍ଦ ହୋଇଯିବ।