କିବିଥୋ(ଅରୁଣାଚଳ ପ୍ରଦେଶ): ଭାରତର ଚିନ୍ତା ବଢ଼ାଇବାରେ ଲାଗିଛି ଚୀନ୍‌। ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ଚୀନ ସୀମାନ୍ତ ଅଞ୍ଚଳରେ ରାସ୍ତା ଓ ସାମରିକ ଘାଟି ନିର୍ମାଣ ସହ ସେଲ୍‌ଫୋନ୍‌ ନେଟ୍‌ଓ୍ଵାର୍କ ମଧ୍ୟ ବିଛାଇଛି ଚୀନ। ଅରୁଣାଚଳ ପ୍ରଦେଶର ସୀମାନ୍ତ ଅଞ୍ଚଳରେ ରାସ୍ତାଘାଟ ନ ଥିବା ବେଳେ ସମଗ୍ର ଅଞ୍ଚଳଟି ବରଫ ଆଚ୍ଛାଦିତ ପାହାଡ଼ିଆ ହୋଇଥିବା ବେଳେ ଚୀନର ମୋବାଇଲ୍‌ ନେଟ୍‌ଓ୍ଵାର୍କ ସେବା ସେଠାରେ ସକ୍ରିୟ ରହିଛି। ଯାହା ଭାରତ ପାଇଁ ନିଶ୍ଚିତ ଭାବେ ଏକ ସୁରକ୍ଷା ସଂକଟ ବୋଲି କୁହାଯାଇପାରେ।

Advertisment

ଏହି ଅଞ୍ଚଳରେ ମୁତୟନ ହୋଇଥିବା ଜଣେ ଭାରତୀୟ ଯବାନଙ୍କର ମୋବାଇଲ୍‌ ଫୋନ୍‌ଟି ବେଶ୍‌ କିଛି ଘଣ୍ଟା ଲାଗି ବିନା ନେଟ୍‌ଓ୍ଵାର୍କରେ ଅଚଳ ହୋଇପଡ଼ିଥିଲା। ହଠାତ୍‌ ଦେଖାଗଲା ସେହି ମୋବାଇଲ୍‌କୁ ‘େଓ୍ଵଲ୍‌କମ୍‌ ଟୁ ଚାଇନା’ ଲେଖାଥିବା ମେସେଜ୍‌ ଆସିଲା। କେବଳ ସେତିକି ନୁହେଁ, ମୋବାଇଲ୍‌ର ଟାଇମ୍‌ ସେଟିଙ୍ଗ୍‌ ମଧ୍ୟ ପରିବର୍ତ୍ତନ ହୋଇଗଲା। ଭାରତୀୟ ସମୟ ବଦଳରେ ଚାଇନାର ସମୟ ଦେଖାଇବାକୁ ଲାଗିଲା। ଆଶ୍ଚର୍ଯ୍ୟର କଥା ହେଉଛି,ଏହି ଅଞ୍ଚଳ ଅତ୍ୟନ୍ତ ଦୁର୍ଗମ ହୋଇଥିଲେ ହେଁ ସିଗ୍‌ନାଲ୍‌ ପୂରା ଦୃଢ଼ ଥିଲ।।

publive-image

ଜନୈକ ଯବାନଙ୍କ କହିବା ଅନୁଯାୟୀ, ଆମର ସୀମାନ୍ତ ଅଞ୍ଚଳରେ ସେଲ୍‌ଫୋନ୍‌ ନେଟ୍‌ଓ୍ଵାର୍କ ଦୂରର କଥା ସାଧାରଣ ରାସ୍ତାଘାଟ ଉପଲବ୍ଧ ନ ଥିବା ବେଳେ ଚାଇନା ପଟରେ ଏସବୁ ସହଜଲବ୍ଧ। ଭାରତ-ଚୀନ ସୀମାନ୍ତ ପ୍ରକୃତ ନିୟନ୍ତ୍ରଣ ରେଖା ଠାରୁ ଅଳ୍ପ କିଛି ଦୂରତ୍ୱରେ ଚୀନ୍‌ ପକ୍ଷରୁ ଏକ ତିନିତାଲା ବିଶିଷ୍ଟ କ୍ୟାମ୍ପ୍‌ ନିର୍ମାଣ କରାଯାଇଛି। ଏହି କ୍ୟାମ୍ପ ରାସ୍ତା ଏବଂ ଟେଲିଫୋନ୍‌ ନେଟ୍‌ଓ୍ଵାର୍କ ସହ ଯୋଡ଼ି ହୋଇ ରହିଛି। ମାତ୍ର ଭାରତ ପାଖରେ ଏସବୁ ସୁବିଧା ନାହିଁ।

ଭାରତୀୟ ସୀମା ଭିତରେ ଚୀନ୍‌ ମୋବାଇଲ୍‌ ନେଟଓ୍ଵାର୍କ କାର୍ଯ୍ୟକରିବା ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ବିପଜ୍ଜନକ। କାରଣ ଫୋନ୍‌କୁ ଚୀନ୍‌ ହ୍ୟାକ୍‌ କରି ତଥ୍ୟ ହାସଲ କରିପାରିବ। ଏହାକୁ ପ୍ରତିହତ କରିବା ଲାଗି ଭାରତ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।