ବାଗଡୋଗ୍ରା ଏୟାରପୋର୍ଟରୁ ୨ ସଂଦିଗ୍ଧ ଚୀନ ନାଗରିକ ଗିରଫ

ସିଲିଗୁଡ଼ି :  ସିଲିଗୁଡ଼ି ନିକଟସ୍ଥ ବାଗଡୋଗ୍ରା ଏୟାରପୋର୍ଟରୁ ଦୁଇଜଣ ଚୀନ ନାଗରିକଙ୍କୁ ଗିରଫ କରାଯାଇଛି । କୌଣସି କାଗଜପତ୍ର ନଥାଇ ସଂଦିଗ୍ଧ ଅବସ୍ଥାରେ ବୁଲୁଥିବା ଅବସ୍ଥାରେ ସେମାନଙ୍କୁ ପୁଲିସ ଗିରଫ କରିଛି ।

ଗିରଫ ହୋଇଥିବା ଚୀନ ଯୁବକ ହେଲେ ନାଭ ଜାଙ୍ଗ ଜଙ୍ଗ୍ (୩୯) ଓ କାଇ ଲେଙ୍ଗ୍ (୪୨) । ସେମାନେ ଆନ୍ଧ୍ରପ୍ରଦେଶସ୍ଥିତ ତିରୁପତି ଯାଉଥିଲେ ବୋଲି ପୁଲିସ କହିଛି । ଏୟାରପୋର୍ଟରେ ସେମାନଙ୍କ ଚାଲିଚଳନରେ ସଂଦେହ ହେବାରୁ ଏୟାରପୋର୍ଟ ସୁରକ୍ଷାରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ)ର ଯବାନମାନେ ସେମାନଙ୍କୁ ଅଟକ ରଖି ପୁଲିସକୁ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣକ ପାଖରେ ପାସପୋର୍ଟ ଥିଲା ମାତ୍ର ଭିସା ନଥିଲା  । ଅନ୍ୟ ଜଣକ ପାଖରେ କୌଣସି ଜରୁରୀ କାଗଜପତ୍ର ନଥିଲା । ତେବେ ସେମାନଙ୍କ ପାଖରୁ ଉତ୍ତରପ୍ରଦେଶ ଠିକଣା ଥିବା ଦୁଇଟି ଆଧାର କାର୍ଡ ମିଳିବା ପରେ ସିଆଇଏସଏଫ ଯବାନମାନଙ୍କ ସଂଦେହ ହୋଇଥିଲା । ଏହାପରେ ସେମାନଙ୍କୁ ଅଟକ ରଖି ପଚରାଉଚୁରା କରାଯିବା ପରେ ସଂଦେହ ବଢିବାରୁ ସେମାନଙ୍କୁ ପୁଲିସକୁ ଦିଆଯାଇଥିଲା । ପୁଲିସ ସେମାନଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

ଏହି ଦୁଇଜଣ ନେପାଳ ବାଟଦେଇ ସିଲିଗୁଡ଼ି ଆସିଥିବା ସଂଦେହ କରାଯାଉଛି । ସେମାନେ ବାଗଡୋଗ୍ରା ଏୟାରପୋର୍ଟ ନିକଟରେ ଥିବା ଏକ ହୋଟେଲରେ ରାତ୍ରିଯାପନ କରିଥିଲେ ।

ସମ୍ବନ୍ଧିତ ଖବର