ଚୀନ୍‌ର ପ୍ରଥମ କୋଭିଡ୍ ଟିକାର ସଫଳ ପରୀକ୍ଷଣ ଦାବି, ଭାରତୀୟ ମାଙ୍କଡ଼ ଦେହରେ ପରୀକ୍ଷା

ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ବିଶ୍ବବ୍ୟାପୀ ଚାଲିଥିବା ପ୍ରଚେଷ୍ଟାର ଅଂଶସ୍ବରୂପ ଏହାର ଉତ୍ପତ୍ତିସ୍ଥଳ ଚୀନ୍‌ରେ ଆଶାର ସଂଚାର ହୋଇଛି। ଚୀନ୍ ବୈଜ୍ଞାନିକମାନେ କରୋନା ଭୂତାଣୁ ପ୍ରତିରୋଧକରାରୀ ଏକ ପ୍ରଯୁଜ୍ୟ ଟିକାର ସଫଳ ପରୀକ୍ଷଣ କରିପାରିଥିବା ଘୋଷଣା କରିଛନ୍ତି। ‘ପିକୋଭାକ୍’ ନାମକ ଦେଶର ଏହି କୋଭିଡ୍ ପ୍ରତିରୋଧୀ ପ୍ରଥମ ଟିକାକୁ ଚିକିତ୍ସା ବିଜ୍ଞାନୀମାନେ ଏକପ୍ରକାର ଭାରତୀୟ ପ୍ରଜାତିର ମାଙ୍କଡ଼(ରିଜସ୍‌ ମାକାକ୍ସ)ଙ୍କ ଠାରେ ପ୍ରୟୋଗ କରି ଆଶାନୁରୂପ ସଫଳତା ପାଇପାରିଥିବା ଦାବି କରିଛନ୍ତି। ବେଜିଂ ସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନି ସିନୋଭାକ୍ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ଏହି ଟିକା ଘାତକ କରୋନା ଭୂତାଣୁ ବିରୋଧୀ ଲଢେ଼ଇରେ ମାନବଜାତିକୁ ଆଶ୍ବସ୍ତ କରିବ ବୋଲି ଆଶା କରାଯାଉଛି।

ଏହି ‘ପିକୋଭାକ୍’ର ପରୀକ୍ଷଣ ପାଇଁ ଉପରୋକ୍ତ ନିର୍ଦ୍ଦିଷ୍ଟ ଶ୍ରେଣୀର ମାଙ୍କଡ଼ଙ୍କ ଠାରେ ଏହାକୁ ପ୍ରୟୋଗ କରାଯିବା ସହିତ ସେମାନଙ୍କୁ ତିନି ସପ୍ତାହ ପରେ କରୋନା ଭୂତାଣୁ ସଂସ୍ପର୍ଶରେ ଅଣାଯାଇଥିଲା। ତେବେ ସଂପୃକ୍ତ ମାଙ୍କଡ଼ଗୁଡ଼ିକ ଭୂତାଣୁ ପ୍ରତିରୋଧୀ ଶକ୍ତି ଆହରଣ କରିଥିବା ଜଣାପଡି଼ଥିଲା। ଏପରିକି ମାଙ୍କଡ଼ଙ୍କ ଠାରେ ସୃଷ୍ଟ ଏହି ନୂତନ ରୋଗ ପ୍ରତିରୋଧ ଶକ୍ତି ଅନ୍ୟ ସାଧାରଣ ଭୂତାଣୁମାନଙ୍କ ବିରୋଧରେ ମଧ୍ୟ କାମ ଦେଉଥିବା ଦେଖାଯାଇଥିଲା। ସେହିପରି ଯେଉଁ ମାଙ୍କଡ଼ଙ୍କୁ ଅଧିକ ମାତ୍ରାର ‘ପିକୋଭାକ୍’ ଦିଆଯାଇଥିଲା, ସପ୍ତାହକ ପରେ ସେମାନଙ୍କ ଫୁସ୍‌ଫୁସ୍‌ରେ ମଧ୍ୟ କରୋନା ଭୂତାଣୁର ଚିହ୍ନବର୍ଣ୍ଣ ନଥିବା ଚିକିତ୍ସା ବିଜ୍ଞାନୀମାନେ ଲକ୍ଷ୍ୟ କରିଥିଲେ। ଅପରପକ୍ଷେ, ଉକ୍ତ ଟିକା ଗ୍ରହଣ ନକରି କରୋନା ଭୂତାଣୁଙ୍କ ସଂସ୍ପର୍ଶରେ ଆସିଥିବା ମାଙ୍କଡ଼ଗୁଡି଼କ ଭୀଷଣ ଭାବରେ ନିମୋନିଆ ଦ୍ବାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ମିଳିଥବା ରିପୋର୍ଟ ଅନୁଯାୟୀ, ଚୀନ୍ ଗତ ଏପ୍ରିଲ୍ ମଧ୍ୟଭାଗରୁ ହିଁ ଏହି ଟିକା ଉପରେ ପରୀକ୍ଷା ନିରୀକ୍ଷା ଚଳାଇ ଆସୁଥିଲା। ସେହିପରି ଚୀନ୍ ସେନାବାହିନୀ ଦ୍ବାରା ମଧ୍ୟ ଆଉ ଏକ ପ୍ରକାର ଟିକା ବିକାଶ କରାଯାଇ ମନୁଷ୍ୟ ଶରୀରରେ ତାହାର ନୈଦାନିକ ପରୀକ୍ଷଣ ଜାରି ରହିଛି।

ସମ୍ବନ୍ଧିତ ଖବର