ସମୁଦ୍ରକୁ ଓହ୍ଲାଇଲା ଚୀନର ୩ୟ ବିମାନବାହୀ ଯୁଦ୍ଧପୋତ, ଭାରତ ପାଇଁ ସତର୍କ ଘଣ୍ଟି

ବେଜିଂ : ଚୀନ ଦ୍ରୁତ ଗତିରେ ନିଜର ନୌସେନାର ଅଧୁନିକୀକରଣ କରିଚାଲିଛି । ବିଶେଷକରି ବିଶ୍ବର ସବୁଠାରୁ ଶକ୍ତିଶାଳୀ ନୌସେନା ଆମେରିକାକୁ ଟକ୍କର ଦେବାକୁ ଚୀନ ଉଦ୍ୟମ ଚଳାଇଛି । ଶୁକ୍ରବାରଦିନ ଚୀନ ନୌସେନା ନିଜର ୩ୟ ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର)ର ଜଳାବତରଣ କରିଛି । ଏହାର ନାଁ ରଖାଯାଇଛି ଫୁଜିଆନ୍ । ଚୀନର ବୃହତ୍ତମ ସହର ସାଂଘାଇଠାରେ ଏହାର ଜଳାବତରଣ କରାଯାଇଛି ।

ଚୀନର ଏହା ୩ୟ ବିମାନବାହୀ ଯୁଦ୍ଧପୋତ ହୋଇଥିବା ବେଳେ ଚୀନରେ ନିର୍ମିତ ୨ୟ ବିମାନବାହୀ ଯୁଦ୍ଧପୋତ । ‘ଫୁଜିଆନ୍’କୁ ଚୀନର ସବୁଠାରୁ ଅତ୍ୟାଧୁନିକ ବିମାନବାହୀ ଯୁଦ୍ଧପୋତ ବୋଲି କୁହାଯାଉଛି ଓ ଏହାକୁ ଚୀନର ରାଷ୍ଟ୍ରାୟତ୍ତ କମ୍ପାନି ଚାଇନା ଷ୍ଟେଟ୍ ସିପବିଲଡିଂ କର୍ପୋରେସନ (ସିଏସଏସସି) ପକ୍ଷରୁ ନିର୍ମାଣ କରାଯାଇଛି ।

ଚୀନର ପ୍ରଥମ ବିମାନବାହୀ ଯୁଦ୍ଧପୋତ ହେଉଛି ସୋଭିଏତ ରୁଷ ନିର୍ମିତ ଲିଆଓନିଂ । ୨ୟ ଯୁଦ୍ଧପୋତର ନାଁ ହେଉଛି ସାଙ୍ଗଡଙ୍ଗ । ଏହାକୁ ମଧ୍ୟ ସୋଭିଏତ ପ୍ରଯୁକ୍ତି ଓ ଡିଜାଇନ ବ୍ୟବହାର କରି ନିର୍ମାଣ କରାଯାଇଥିଲା । କିନ୍ତୁ ୩ୟ ଯୁଦ୍ଧପୋତଟି ସଂପୂର୍ଣ୍ଣ ଭାରେ ଚୀନ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।

ଏହି ଜାହାଜରେ ଯୁଦ୍ଧ ବିମାନଗୁଡ଼ିକର ସୁରକ୍ଷିତ ଉଡାଣ ଓ ଅବତରଣ ପାଇଁ ଇଲେକ୍ଟ୍ରୋମାଗନେଟିକ କାଟାପଲ୍ଟ ଓ ଆରେଷ୍ଟିଂ ଡିଭାଇସ ଲଗାଯାଇଛି । ଏହି ଜାହାଜର ଓଜନ ହେଉଛି ପ୍ରାୟ ୮୦ ହଜାର ଟନ ।

ଚୀନ ନୌସେନାର ଶକ୍ତି ବୃଦ୍ଧି କେବଳ ଆମେରିକା ନୁହେଁ, ଭାରତ ପାଇଁ ମଧ୍ୟ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । କାରଣ ଭାରତ ମହାସାଗରରେ ଚୀନ ନୌସେନାର ଗତିବିଧି ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର