ନୂଆଦିଲ୍ଲୀ : ବନ୍ଦେ ଭାରତ ରେଳ ପ୍ରକଳ୍ପ ପାଇଁ ଚୀନ କମ୍ପାନିର ବିଡକୁ ଭାରତୀୟ ରେଳ ପକ୍ଷରୁ ଅଯୋଗ୍ୟ ଘୋଷିତ କରିଦିଆଯାଇଛି । ପ୍ରାୟ ୧୮୦୦ କୋଟି ମୂଲ୍ୟର ୪୪ଟି ବନ୍ଦେ ଭାରତ ରେଳ ସେଟ୍ ଯୋଗାଣ ପାଇଁ ଭାରତୀୟ ରେଳ ପକ୍ଷରୁ ବିଡ୍ ଆହ୍ବାନ କରାଯାଇଥିଲା । ଏଥିଲାଗି ଚୀନର ଏକ କମ୍ପାନି ସିଆରଆରସି ୟଙ୍ଗଜି ଇଲେକ୍ଟ୍ରିକ ଲିମିଟେଡ୍ ଓ ଏକ ଭାରତୀୟ କମ୍ପାନି ପାୟୋନିୟର ଫିଲ୍-ମେଡକୁ ନେଇ ଗଠିତ କନସୋର୍ଟିୟମ ବିଡ୍ ଦାଖଲ କରିଥିଲା । କିନ୍ତୁ ଭାରତୀୟ ରେଳ ଏହି ବିଡକୁ ବାତିଲ କରିଦେଇଛି । ବିଡ୍ ଦାଖଲର ପ୍ରାୟ ୪ ସପ୍ତାହ ପରେ ଭାରତୀୟ ରେଳ ଏହି ନିଷ୍ପତ୍ତି ନେଇଛି ।
ଗତ ଜୁନ ମାସରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଭାରତ ସରକାର ଚୀନ କମ୍ପାନିମାନେ ଅଂଶଗ୍ରହଣ କରୁଥିବା କେତେକ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାକୁ ରଦ୍ଦ କରି ସାନି ଟେଣ୍ଡର ଡକାଇଥିଲେ । ଏହା ସହିତ ସୁରକ୍ଷା ଦୃଷ୍ଟିକୋଣରୁ ସଂବେଦନଶୀଳ କେତେକ କ୍ଷେତ୍ରରେ ଚୀନ କମ୍ପାନିଙ୍କ ପ୍ରବେଶ ଉପରେ କଟକଣା ଲଗାଇଦିଆଗଲା । ଭାରତରେ ୫-ଜି ଟେକନଲୋଜୀ କ୍ଷେତ୍ରରେ ମଧ୍ୟ ଚୀନ କମ୍ପାନି ହୁଆଏଇର ଅଂଶଗ୍ରହଣ ଉପରେ କଟକଣା ଲଗାଯାଇଛି ।