ପାତିମାଙ୍କଡ଼ଙ୍କ ଦେହରେ କୋଭିଡ୍-୧୯ ଟିକାର ପ୍ରଥମ ସଫଳ ପରୀକ୍ଷା କଲା ଚୀନ୍‌

ବେଜିଙ୍ଗ୍: ଚୀନ୍ ପାତିମାଙ୍କଡ଼ମାନଙ୍କ ଉପରେ କରୋନାଭାଇରସ୍ କୋଭିଡ୍-୧୯ ଟିକାର ପ୍ରଥମ ସଫଳ ପରୀକ୍ଷା କରିଥିବା କଥା ଜଣାପଡ଼ିଛି। ପ୍ରାପ୍ତ ରିପୋର୍ଟ ଅନୁସାରେ, ଚୀନ୍ ପ୍ରସ୍ତୁତ କରିଥିବା ‘ପିକୋଭ୍ୟାକ୍’ ନାମକ କରୋନାଭାଇରସ୍ ଟିକା ପାତିମାଙ୍କଡ଼ମାନଙ୍କ ଶରୀରରେ ଖୁବ୍ ଫଳପ୍ରଦ ହୋଇଛି।

Image Source: Zee News

ଏହି ଟିକାର ନିର୍ମାତା ହେଉଛି ବେଜିଙ୍ଗ୍‌ର ‘ସିନୋଭ୍ୟାକ୍ ବାୟୋଟେକ୍’। ଶରୀରକୁ ସଂକ୍ରମଣ କରୁଥିବା ଏହି ଭୂତାଣୁମାନଙ୍କୁ ପ୍ରତିରୋଧ କରିବାକୁ ‘ସିନୋଭ୍ୟାକ୍ ବାୟୋଟେକ୍’ର ବିଶେଷଜ୍ଞମାନେ ଅତି ପାରମ୍ପରିକ ପଦ୍ଧତି ପ୍ରୟୋଗ କରିଛନ୍ତି। ଏହି ପଦ୍ଧତିରେ, ଗୋଟାଏ ପ୍ରାଣୀ ଶରୀରରେ ଗୋଟାଏ ପଙ୍ଗୁ ଭୂତାଣୁକୁ ଭର୍ତ୍ତି କରି ତାହାର ରୋଗ ପ୍ରତିରୋଧକ ଧାରାକୁ ଇ‌ମ୍ୟୁନୋଗ୍ଲୋବିନ୍ ଉତ୍ପାଦନ କରିବାକୁ ବାଧ୍ୟ କରାଯାଉଛି। ଏହି ଇମ୍ୟୁନୋଗ୍ଲୋବିନ୍ ସାଧାରଣ ଭୂତାଣୁମାନଙ୍କୁ ମଧ୍ୟ ନିପାତ କରିବ।

Image Source: Deccan Herald

ଗବେଷକମାନେ ଭାରତୀୟ ପ୍ରଜାତିର ପାତିମାଙ୍କଡ଼ଙ୍କୁ ଏହି ଟିକା ଦେଇଥିଲେ। ଟିକା ଦିଆଯିବାର ତିନି ସପ୍ତାହ ପରେ ସେ ପାତିମାଙ୍କଡ଼ମାନଙ୍କୁ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ପାତିମାଙ୍କଡ଼ମାନଙ୍କ ମେଳକୁ ଛଡ଼ାଯାଇଥିଲା।

ଗୋଟାଏ ସପ୍ତାହ ପରେ ଦେଖାଗଲା ସବୁଠୁ ଅଧିକ ଅନୁପାନର ଟିକା ନେଇଥିବା ପାତିମାଙ୍କଡ଼ମାନଙ୍କ ଫୁସ୍‌ଫ୍‌ସ୍‌ରେ ଭୂତାଣୁ ନାହିଁ। ଅର୍ଥାତ୍ ଟିକା କାମ କରିଛି। ସେପଟେ ‘ପିକୋଭ୍ୟାକ୍’ ଟିକା ନେଇ ନ ଥିବା ରୋନାଭାଇରସ୍ ଆକ୍ରାନ୍ତ ପାତିମାଙ୍କଡ଼ମାନେ ସାଙ୍ଘାତିକ ନିମୁନିଆରେ ଆକ୍ରାନ୍ତ ହୋଇଥିଲେ।

ଏପ୍ରିଲ୍ ମଧ୍ୟ ଭାଗରୁ ଏହି ଟିକାକୁ ଚୀନ୍‌ରେ ମାନବ ଶରୀରରେ ପ୍ରୟୋଗ କରାଯାଇ ଅନୁଧ୍ୟାନ କରାଯାଉଛି। ଏହାଛଡ଼ା ଚୀନ୍‌ର ସାମରିକ ପ୍ରତିଷ୍ଠାନ ମଧ୍ୟ ‘ସିନୋଫାର୍ମ’ର ଏକ ଟିକାର ଦ୍ବିତୀୟ ପର୍ଯ୍ୟାୟ ଡାକ୍ତରୀ ପରୀକ୍ଷା କରୁଛି।

ସମ୍ବନ୍ଧିତ ଖବର