ଗଲଓ୍ଵାନରେ ସୈନ୍ୟ ପ୍ରତ୍ୟାହାର ଖବରକୁ ସ୍ୱୀକାର କଲା ଚୀନ୍

ନୂଆଦିଲ୍ଲୀ : ଲଦାଖର ଗଲଓ୍ଵାନ ଘାଟିରେ ଚୀନ ସେନା ପକ୍ଷରୁ ୧-୨ କିଲୋମିଟର ପଛକୁ ଫେରିଥିବା ଖବରକୁ ଚୀନ ସରକାର ସ୍ୱୀକାର କରିଛନ୍ତି ।
ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଛନ୍ତି ଯେ ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶର ଆଗଧାଡ଼ିର ସେନା ପଛକୁ ହଟିବା ଆରମ୍ଭ କରିଛନ୍ତି । ଜୁନ ୩୦ରେ ହୋଇଥିବା ୩ୟ କମାଣ୍ଡର ସ୍ତରୀୟ ଆଲୋଚନାରେ ସୀମାରେ ଉତ୍ତେଜନା ହ୍ରାସ କରି ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟପ୍ରତ୍ୟାହାର ଉପରେ ସହମତି ହୋଇଥିଲା ବୋଲି ଚାନର ଗ୍ଲୋବାଲ ଟାଇମ୍ସ ଲିଜାନଙ୍କ ବକ୍ତବ୍ୟକୁ ଉଦ୍ଧାର କରି ରିପୋର୍ଟ ପ୍ରକାଶ କରିଛି ।
ଏହା ପୂର୍ବରୁ ଭାରତ ପକ୍ଷରୁ ମଧ୍ୟ ଉଭୟ ଦେଶ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିବା ସ୍ୱୀକାର କରାଯାଇଥିଲା । ସୀମାରେ ଭାରତର ଦାୟିତ୍ୱବାନ ଆଚରଣକୁ ସମଗ୍ର ବିଶ୍ୱସମୁଦାୟ ସ୍ୱୀକୃତି ଓ ସମର୍ଥନ ଦେଇଥିବା ଜଣେଅଧିକାରୀ କହିଥିଲେ ।

ରବିବାରଦିନ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଇଙ୍କ ସହ ଆଲୋଚନା କରି ସୀମାରେ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିଲେ । ସୀମାରେ ଉତ୍ତେଜନା ହ୍ରାସ କରି ଯଥାସ୍ଥିତି ବଜାୟ ରଖିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲଦାଖ ଗସ୍ତର ଦୁଇଦିନ ପରେ ଏହି ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ଶନିବାରଦିନ ମୋଦୀ ଲେହ ଗସ୍ତରେ ଯାଇ ଚୀନର ବିସ୍ତାରବାଦୀ ନୀତିର ଯୁଗ ଶେଷ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର