ଭାରତ ବିରୋଧରେ ଚୀନ୍‌ ଷଡ୍‌ଯନ୍ତ୍ର: ସିକିମ୍‌ରେ ଉତ୍ତେଜନା ବଢ଼ାଉଛି, ନେପାଳକୁ ଉସୁକାଉଛି

ପାଟ୍ରୋଲିଂ ଅଟକାଉଛି ଚୀନ, ଆମେରିକାର ଉଦ୍‌ବେଗ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ବିଶ୍ବବ୍ୟାପୀ ନିନ୍ଦାର ଶିକାର ହେଉଥିବା ଚୀନ ଏବେ ଭାରତ ସୀମାରେ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। କିଛି ଦିନ ତଳେ ସୀମାରେ ଉଭୟ ଦେଶର ସୈନ୍ୟମାନେ ମାରପିଟ୍ ହୋଇଥିବା ବେଳେ ଆଜି ଭାରତୀୟ ସେନାକୁ ପାଟ୍ରୋଲିଂ କରିବାରେ ବାଧା ଦେଉଛି ଚୀନ। ଭାରତ ଏହାକୁ ‌େନଇ ଉଦବେଗ ପ୍ରକାଶ କରିଥିବା ବେଳେ ଆମେରିକା ମଧ୍ୟ ଚୀନର ଏତାଦୃଶ ଆଚରଣର ତୀବ୍ର ସମାଲୋଚନା କରିଛି। ଭାରତୀୟ ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଯେ ସିକିମ ନିକଟରେ ଉଭୟ ଦେଶ ମଧ୍ୟରେ ଟଣା ହୋଇଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଭାରତୀୟ ଯବାନମାନେ ନିଜ ସମୀରେ ପାଟ୍ରୋଲିଂ କରୁଥିବା ବେଳେ ଚୀନର ସେନା ସେମାନଙ୍କୁ ବାଧା ଦେଉଛନ୍ତି। ଭାରତ ଏକ ଦାୟିତ୍ବସଂପନ୍ନ ରାଷ୍ଟ୍ର ରୂପେ ଏହାର ଦାୟିତ୍ବ ତୁଲାଉଥିବା ବେଳେ ଚୀନର ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ। ଏହାସହିତ ସେ ସ୍ପଷ୍ଟ କରିଦେଇଛନ୍ତି ଯେ ଭାରତ ଏହାର ସୁରକ୍ଷା ଓ ସା‌ର୍ବଭୌମତ୍ବ ନେଇ କୌଣସି ସାଲିସ କରିବ ନାହିଁ।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ସିକିମ ଏବଂ ଲଦାଖ ନିୟନ୍ତ୍ରଣ ରେଖା ନିକଟରେ ଦୁଇ ଦେଶର ସୈନ୍ୟମାନେ ମାରପିଟ୍ ହୋଇଥିଲେ। ଏଥିରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଥିଲେ। ଏହାର କିଛି ଦିନ ପରେ ଚୀନ ଏହାର ହେଲିକପ୍ଟର ଆକ୍ରମଣ ଭଙ୍ଗୀରେ ଉଡାଇବାରୁ ଭାରତ ମଧ୍ୟ ସୁଖୋଇ ଲଢ଼ୁଆ ବିମାନ ଉଡ଼ାଇଥିଲା। ଇତିମଧ୍ୟରେ ଆମେରିକାର ମଧ୍ୟ ଏହି ଘଟଣା ନେଇ ଉଦବେଗ ପ୍ରକାଶ କରିଛି। ଭାରତ ସୀମାରେ ଚୀନ୍‌ ଅଯଥା ଉତ୍ତେଜନା ବଢ଼ାଉଛି ଏବଂ ଚୀନ୍‌ର କାର୍ଯ୍ୟକଳାପ ଆଦୌ ଗ୍ରହଣୀୟ ନୁହେଁ। ଲଦାଖରେ ଚୀନ୍‌ର ଉତ୍ତେଜନାପୂର୍ଣ୍ଣ କାର୍ଯ୍ୟକଳାପ ଯୋଗୁଁ ଆଂଚଳିକ ଶାନ୍ତି ପ୍ରତି ବିପଦ ଉପୁଜୁଛି ବୋଲି ଦର୍ଶାଇ ଆମେରିକାର ବିଦେଶ ମନ୍ତ୍ରାଳୟର ଦକ୍ଷିଣ ଏବଂ ମଧ୍ୟ ଏସିଆ ମାମଲା ମୁଖ୍ୟ ଏହାର କଡ଼ା ସମାଲୋଚନା କରିଛନ୍ତି। ଚୀନ୍‌ର ଏଭଳି ବ୍ୟବହାର ଭାରତର ଚିନ୍ତା ବଢ଼ାଉଛି ଏବଂ ଚୀନ୍‌ ଏହି ଆଳରେ ନିଜର ସାମରିକ ଶକ୍ତି ଦେଖାଇବାକୁ ଚାହୁଛି ବୋଲି ସେ କହିଛନ୍ତି।

ନେପାଳର ଦାବିକୁ ଭାରତର ବିରୋଧ
ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଦୁଇ ଦେଶର ସେନା ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଅନ୍ୟତମ ପଡ଼ୋଶୀ ରାଷ୍ଟ୍ର ନେପାଳ ନୂଆ ସମସ୍ୟା ସୃଷ୍ଟି କଲାଣି। ଭାରତର କିଛି ଅଞ୍ଚଳକୁ ନିଜର ଦର୍ଶାଇ ଏହାକୁ ନେବା ଲାଗି ଦାବି ଉଠାଇଲାଣି। ଏଭଳି ବିବାଦ ପଛରେ ଚୀନର ହାତ ଥିବା କୁହାଯାଉଛି। ଚୀନ ଏଥିଲାଗି ନେପାଳକୁ ଉସୁକାଉଛି। ତେବେ ଭାରତ ନେପାଳର ଦାବିକୁ ଖାରଜ କରିବା ସହିତ ଏଭଳି ଉ‌େତ୍ତଜନା ସୃଷ୍ଟିକାରୀ ପରିସ୍ଥିିତିରୁ ଦୂରେଇ ରହିବା ଲାଗି ପରାମର୍ଶ ଦେଇଛି। ନେପାଳ ସରକାରଙ୍କ ଦ୍ବାରା ଭାରତର କଳାପାଣି, ଲିପୁଲେଖ ଏବଂ ଲିମ୍ପିଆଧୁରା ଅଂଚଳକୁ ନିଜର ବୋଲି ଦର୍ଶାଇ ଏକ ମାନଚିତ୍ର ପ୍ରଦର୍ଶନ କରିଥିବାରୁ ଭାରତ ନେପାଳକୁ କଡ଼ା ଚେତାବନୀ ଦେଇଛି।

ଐତିହାସିକ ତଥ୍ୟକୁ ସମ୍ମାନ ଦେବାପାଇଁ ନେପାଳ ବାଧ୍ୟ ଏବଂ ଏହା କୃତ୍ରିମ ବିସ୍ତାର ଦାବି କରୁଥିବାରୁ ଏହାକୁ ଭାରତ କଦାପି ଗ୍ରହଣ କରିବ ନାହିଁ ବୋଲି ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି। ନେପାଳ ଅନୁଚିତ ମାନଚିତ୍ର ପ୍ରଦର୍ଶନରୁ ଦୂରେଇ ରହିବାକୁ ହେବ ଏବଂ ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ବକୁ ସମ୍ମାନ ଦେଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ବିଭାଗୀୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଚେତାଇ ଦେଇଛନ୍ତି। ନେପାଳ ଚୀନ୍‌ର କଥାରେ ପରିଚାଳିତ ହୋଇ ସୀମାରେ ଅଯଥା ବିଭ୍ରାନ୍ତି ଓ ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ସ୍ପଷ୍ଟ ହୋଇଯାଇଥିବାରୁ ଆଗକୁ ଏ ବାବଦରେ ଭାରତ ନିଜର ଆଭିମୁଖ୍ୟ ଆହୁରି କଠୋର କରିବ ବୋଲି କହିଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଭାରତର ବନ୍ଧୁତା ଓ ବିଶ୍ବାସକୁ ସମ୍ମାନ ଦେଇ କାମ କରନ୍ତୁ ବୋଲି ସେ ମନେ ପକାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର