ଚୀନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ! କରୋନାଭୂତାଣୁକୁ ‘ଜୈବାସ୍ତ୍ର’ ବୋଲି ଦର୍ଶାଇ ମାମଲା କରିଛନ୍ତି ୪ ଆମେରିକୀୟ ରାଜ୍ୟ

ପୁଣିଥରେ କରୋନା ସଂକ୍ରମିତ ହେଉଥିବାରୁ ଚୀନ୍‌ରେ ଚିନ୍ତା ବଢ଼ିଲା‌

ନୂଆଦିଲ୍ଲୀ : କରୋନାଭୂତାଣୁ ବ୍ୟାପିବାରେ ଚୀନ୍‌ର ଖିଆଲୀ ଆଚରଣ ଓ ଅବଦାନ ଉପରେ କ’ଣ କୌଣସି ଅଦାଲତୀ କାର୍ଯ୍ୟାନୁଷ୍ଠାନ ହେବ କି? କୋଭିଡ୍‌-୧୯କୁ ବ୍ୟାପକ କରିଥିବାରୁ ଚୀନ୍‌ ବିରୋଧରେ ଆମେରିକୀୟ ଲୋକମାନେ ତଥା ଗୋଟିଏ ଯୁକ୍ତରାଷ୍ଟ୍ର ଆମେରିକୀୟ ରାଜ୍ୟ ମିସୌରୀ ପକ୍ଷରୁ ଯେଉଁ ମୋକଦ୍ଦମା ହୋଇଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି। ତେବେ ମିସୌରୀର କିଛି ମାତ୍ରାରେ ସାର୍ବଭୌମତ୍ୱ ଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସମ୍ବିଧାନରେ ମଧ୍ୟ ନ୍ୟାୟ ପ୍ରଦାନର ସାମାନ୍ୟ ସମ୍ଭାବନା ରହିଛି। କରୋନା ବିଶ୍ୱମହାମାରୀ ଯୋଗୁ ମିସୌରୀର ଯେଉଁ ବ୍ୟାପକ କ୍ଷତି ହୋଇଛି, ତାହାର ଆର୍ଥିକ କ୍ଷତିପୂରଣ ଦାବି କରାଯାଇଛି। ଫ୍ଲୋରିଡା, ନେଭାଡା ଓ ଟେକ୍ସାସ୍‌ ମଧ୍ୟ ସେଇଭଳି ମୋକଦ୍ଦମା କରିଛନ୍ତି। ସବୁଥିରେ ଚୀନ୍‌ର ଦାୟିତ୍ୱହୀନ ଆଚରଣ ଦର୍ଶାଯାଇଥିବା ବେଳେ କରୋନାଭୂତାଣୁକୁ ‘ଜୈବାସ୍ତ୍ର’ ବୋଲି ଦର୍ଶାଯାଇଛି। କୌଣସି ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ମାମଲା ଚାଲିପାରିବ। କିନ୍ତୁ ଏକ ସାର୍ବଭୌମ ରାଷ୍ଟ୍ର ବିରୋଧରେ ମାମଲାର ଚାଲିବାର କିଛି ପ୍ରାବଧାନ ନାହିଁ। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଧାରା ୭୫ ଅନୁସାରେ କୌଣସି ମାମଲା ବୁଝାମଣା ସୂତ୍ରରେ ସମାଧାନ ନ ହୋଇପାରିଲେ ତାହା ଅନ୍ତର୍ଜାତୀୟ ନ୍ୟାୟାଳୟ ଅଧୀନକୁ ଯିବ।

ଚୀନ୍‌ରେ ଚିନ୍ତା ବଢ଼ିଲା‌
ନୂଆଦିଲ୍ଲୀ : ଚୀନ୍‌ କରୋନା ଭାଇରସ୍‌କୁ ସଫଳତାର ସହ ନିୟନ୍ତ୍ରଣ କରିପାରିଛି ଏବଂ ଭାଇରସ୍‌ର କେନ୍ଦ୍ରସ୍ଥଳ ଉହାନ୍‌ରେ ବି ସ୍ଥିତି ସ୍ବାଭାବିକ ହୋଇଛି। କିନ୍ତୁ ଚୀନ୍‌ ପାଇଁ ଏବେ ଆଉ ଏକ ବଡ଼ ଚିନ୍ତା ଆରମ୍ଭ ହୋଇଛି। କରୋନାରୁ ସୁସ୍ଥ ହେଉଥିବା ଅଧିକାଂଶ ‌‌ରୋଗୀ ପୁଣିଥରେ କରୋନା ସଂକ୍ରମିତ ହେଉଥିବାରୁ ଚୀନ୍‌ର ଚିନ୍ତା ବଢ଼ିଛି। ସବୁଠୁ ଚିନ୍ତାଜନକ ହେଉଛି ଚୀନ୍‌ରେ ଜଣେ ‌ରୋଗୀ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋ‌ଇ ସାରିଛନ୍ତି। କିନ୍ତୁ ୭୦ ଦିନ ପରେ ସେ କ‌ରୋନା ଟେଷ୍ଟ୍‌ କରିବାପରେ ତାଙ୍କ ଶରୀରରେ ପୁଣି ଭାଇରସ୍‌ ପଜିଟିଭ୍‌ ରହିଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କ ଶରୀରରେ ଭାଇରସ୍‌ର କୌଣସି ଲକ୍ଷଣ ମଧ୍ୟ ନାହିଁ । କିନ୍ତୁ ବାରମ୍ବାର ଟେଷ୍ଟ୍‌ ସତ୍ତ୍ବେ ତାଙ୍କ ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ଦକ୍ଷିଣ କୋରିଆରେ ମଧ୍ୟ ସମାନ ସ୍ଥିତି। ଦକ୍ଷିଣ କୋରିଆରେ ପ୍ରାୟ ୧୦୦୦ ଜଣ ଦୀର୍ଘ ୪ ସପ୍ତାହ ଧରି କ‌ରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ଦକ୍ଷିଣ କୋରିଆରେ ମଧ୍ୟ ସୁସ୍ଥ ହୋଇଥିବା ପ୍ରାୟ ୨୦୦ ରୋଗୀ ପୁଣିଥରେ କରୋନା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର