ପାକିସ୍ତାନରେ ସାମରିକ ଘାଟି ନିର୍ମାଣ କରୁଛି ଚୀନ :ସିଆଇଏ

ନୂଆଦିଲ୍ଲୀ: ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କାରେ ଚୀନ ଯେ ନିଜର ସାମରିକ ଘାଟି ନିର୍ମାଣ କରୁଛି ତାହା ଧୀରେ ସ୍ପଷ୍ଟ ହେଉଛି । ପାକିସ୍ତାନରେ ଚୀନ ପକ୍ଷରୁ ନିର୍ମାଣାଧୀନ ଗ୍ଵାଦର ବନ୍ଦର କେବଳ ବେସାମରିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଓ ଏହା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରର ଏକ ଅଂଶବିଶେଷ ବୋଲି ଚୀନ ଯେତେ ସଫେଇ ଦେଲେ ମଧ୍ୟ ଏହା ପଛରେ ଏକ ବଡ଼ ସାମରିକ ଯୋଜନା ରହିଛି ତାହା ସ୍ପଷ୍ଟ ହେଉଛି ।

ଆମେରିକାର ସିଆଇଏ ପକ୍ଷରୁ ସଂଗୃହୀତ କେତେକ ସୂଚନାରୁ ଏ ସଂପର୍କରେ ଜଣାପଡିଛି । ବିଶେଷ କରି ଆମେରିକା ଏବେ ପାକିସ୍ତାନକୁ ସେତେଟା ଭରଷା କରୁନଥିବାରୁ ଚୀନ ତାହାର ଭରପୁର ଫାଇଦା ଉଠାଇବାକୁ ବସିଛି । ଗତ କିଛି ମାସ ଧରି ଆମେରିକା-ପାକ୍‌ ସଂପର୍କ ଆହୁରି ଖରାପ ହୋଇଛି । କିନ୍ତୁ ଏହି ସମୟରେ ପାକିସ୍ତାନ ଓ ଚୀନ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ହୋଇଛି । ତାହା ହେଉଛି ଇରାନ ସୀମାକୁ ଲାଗିଥିବା ତଥା ବେଲୁଚିସ୍ତାନ ପ୍ରଦେଶ ଅଧିନରେ ଆସୁଥିବା ଜିଓ୍ଵାନି ଅଂଚଳରେ ଏକ ସାମରିକ କେନ୍ଦ୍ର ସ୍ଥାପନ କରିବ ଚୀନ ।

ଏହା ମୁଖ୍ୟତଃ ଏକ ନୌସେନା ଘାଟି ହେବ ଓ ଆରବ ସାଗର ଅଂଚଳରେ ଭାରତ ଏବଂ ଆରବ ଅଂଚଳରେ ଥିବା ଇସ୍ରାଏଲ ଓ ଆମେରିକାର ସାମରିକ ଘାଟି ଉପରେ ନଜର ରଖିବ । ଭାରତ ମହାସାଗରରେ ଡିଏଗା ଗ୍ରାସିଆ ଦ୍ୱୀପରେ ଆମେରିକାର ସାମରିକ ଘାଟି ରହିଛି । ପୁଣି ଚୀନର ଏହି ପ୍ରସ୍ତାବିତ ସାମରିକ ଘାଟିଟି ଇରାନରେ ଭାରତ ନିର୍ମାଣ କରିଥିବା ଚାବାହାର ପୋର୍ଟ ଠାରୁ କମ ଦୂରତାରେ ଅବସ୍ଥିତ ।

ତେବେ ଗତ ମଇ ୨୦୧୧ରେ ପାକିସ୍ତାନର ଆବଟାବାଦରେ ଓସାମା ବିନ ଲାଡେନକୁ ଆମେରିକା ହତ୍ୟା କଲା ପରେ ହିଁ ଏହି ସାମରିକ ଘାଟି ନିର୍ମାଣ ଲାଗି ଚୀନକୁ ପାକିସ୍ତାନ ଆମନ୍ତ୍ରଣ କରିଥିଲା । ଆମେରିକାକୁ ଜବାବ ଦେବାପାଇଁ ପାକିସ୍ତାନ ଏପରି କରିଥିବା ସିଆଇଏ ରିପୋର୍ଟରୁ ଜଣାପଡିଛି ।

ସମ୍ବନ୍ଧିତ ଖବର