ଭାରତର ସଫଳତାକୁ ସହିପାରୁନି ଚୀନ

ବେଜିଂ : ବିଭିନ୍ନ କ୍ଷେତ୍ରରେ ଭାରତ ହାସଲ କରୁଥିବା ସଫଳତାକୁ ‌ଚୀନ ସହିପାରୁ ନାହିଁ। ନୌସେନାରେ ସ୍ବଦେଶୀ ନିର୍ମିତ ଅତ୍ୟାଧୁନିକ ବିମାନ ବାହକ ଯୁଦ୍ଧପୋତ ସାମିଲ କରିବା ହେଉ କିମ୍ବା ବ୍ରିଟେନକୁ ଟପି ଭାରତ ବିଶ୍ବର ପଞ୍ଚମ ବୃହତ୍‌ ଅର୍ଥନୀତିରେ ପରିଣତ ହେବାକୁ ଏହି ଦେଶ ସହଜରେ ଗ୍ରହଣ କରିପାରୁ ନାହିଁ। ଆଇଏନଏସ ବିକ୍ରାନ୍ତକୁ ନୌସେନାରେ ସାମିଲ ନେଇ ବିଜେପି ପକ୍ଷରୁ କରାଯାଇଥିବା ଟ୍ବିଟରେ ଖପ୍ପା ହୋଇ ଚୀନ ଗ୍ଲୋବାଲ ଟାଇମ୍ସର ଜଣେ ସାମ୍ବାଦିକ ସେହି ଟ୍ବିଟର ଫଟୋ ସେୟାର କରିଥିଲେ। ଏଥିସହିତ ଭାରତ ଉପରେ ବିଷ ‌ଓଗାରିଥିଲେ। ସେହିଭଳି ଭାରତ ବିଶ୍ବର ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତିରେ ପରିଣତ ହେବା ପରେ ବିଜେପିର ଟ୍ବିଟ ଉପରେ ମଧ୍ୟ ଗ୍ଲୋବାଲ ଟାଇମ୍ସର ସାମ୍ବାଦିକ ଖପ୍ପା ହୋଇଛନ୍ତି।

ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ରିପୋର୍ଟ ଆଧାରରେ ଭାରତ ଉପରେ ଏବେ ଆମେରିକା, ଚୀନ, ଜାପାନ ଏବଂ ଜର୍ମାନୀ ରହିଛନ୍ତି। ଭାରତ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି‌ ହେବା ଦେଶର ଆର୍ଥିକ ପ୍ରଗତିର ଶେଷ୍ଠ ଉଦାହରଣ ବୋଲି କୁହାଯାଇଛି। କିନ୍ତୁ ଚୀନକୁ ଏହା ଲଙ୍କାଗୁଣ୍ଡ ମାରିବା ଭଳି ଲାଗିଛି।

ଗ୍ଲୋବାଲ ଟାଇମ୍ସର ସାମ୍ବାଦିକ ହୁ ସିଜିନ ଏକ ଟ୍ବିଟ କରି କହିଛନ୍ତି, ଭାରତ ବ୍ରିଟେନକୁ ନିଜର ଉପନିବେଶରେ ପରିଣତ କରିବା ଉଦ୍ୟମ ଜାରି ରଖିବ। ଏପରିକି ବ୍ରିଟେନକୁ ଭାରତୀୟକରଣ କରିପାରେ। ଦିନେ ଭାରତୀୟ ଉଚ୍ଚାରଣ ଯୁକ୍ତ ଇଂରାଜୀ ବିଶ୍ବରେ ସବୁଠୁ ମାନକ ଉଦାହରଣ ହୋଇଯିବ ଏବଂ ଇଂରାଜୀ ଶିଖୁଥିବା ବିଦେଶୀମାନେ ଭାରତୀୟ ଉଚ୍ଚାରଣ ଶିଖିବେ। ଲାଗି ରୁହ ଭାରତ ବୋଲି ସେ କହିଛନ୍ତି। ଏଥିରୁ ଆର୍ଥିକ, ରାଜନୈତିକ, କରୋନା ଏବଂ ଜନସଂଖ୍ୟା ଜନିତ ସମସ୍ୟା ଭିତରେ ଗତି କରୁଥିବା ଚୀନ ଭାରତର ଅଗ୍ରଗତିରେ ଖପ୍ପା ହେବା ବୁଝାପଡ଼ୁଛି।

ଏକ ଦଶନ୍ଧି ପୂର୍ବେ ଭାରତ ବିଶ୍ବର ଏକାଦଶ ବୃହତ୍ ଅର୍ଥନୀତି ଥିଲା। ସେହି ସମୟରେ ବ୍ରିଟେନ ପଞ୍ଚମ ସ୍ଥାନରେ ଥିଲା। କିନ୍ତୁ ଏହି ସମୟ ମଧ୍ୟରେ ଭାରତ ବହୁ ଆଗକୁ ଚାଲିଯାଇଛି ଏବଂ ବ୍ରିଟେନ ଷଷ୍ଠ ସ୍ଥାନକୁ ଖସିଛି। ବିଶ୍ବରେ ସବୁଠୁ ଅଧିକ ବେଗରେ ବଢ଼ୁଥିବା ଭାରତୀୟ ଅର୍ଥନୀତି ଆଗାମୀ ଦିନରେ ବ୍ରିଟେନଠାରୁ ଆହୁରି ଅଧିକ ଆଗକୁ ଯିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର