ନୂଆଦିଲ୍ଲୀ ଡୋକଲାମ ବିବାଦ ପରେ ପଛକୁ ହଟିଥିବା ଚୀନ୍ ଏବେ ପୁଣି ଭାରତ ବିରୋଧରେ ବଡ଼ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ତିବ୍ଦତର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟେ ଚୀନ୍ ପ୍ରାୟ ୨୦ଟି ଯୁଦ୍ଧ ବିମାନ ଓ ହେଲିକପ୍୍ଟର ମୁତୟନ କରିଛି। ଏତେ ସଂଖ୍ୟାରେ ଯୁଦ୍ଧ ବିମାନ ମୁତୟନ କରିବା ସହ ସୈନ୍ୟ ଉପସ୍ଥିତି ଆଶାତୀତ ଭାବେ ବଢ଼ାଇ ଚୀନ୍ ପୁଣି ଉତ୍ତେଜନା ସୃଷ୍ଟି କରିଛି। ଚୀନ୍ ବାୟୁସେନାର ଏହା ସବୁଠାରୁ ବଡ଼ ମୁତୟନ ହୋଇଥିବାରୁ ଏ ବାବଦରେ ଭାରତ ସତର୍କ ନଜର ରଖିଛି। ଭାରତ ସୀମାକୁ ଲାଗିଥିବା ତିବ୍ଦତର ବିଭିନ୍ନ ଅଂଚଳରେ ଯୁଦ୍ଧ ବିମାନ ମୁତୟନ କରି ଚୀନ୍ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛି। ସୀମାରେ ଅସ୍ଥିରତା ବଢ଼ାଇ ଚୀନ୍ ନିଜର ଆଧିପତ୍ୟ ଜାହିର କରିବା ଏବଂ ନିଜକୁ ସର୍ବଶକ୍ତିମାନ ପ୍ରମାଣିତ କରିବା ପାଇଁ ଉଦ୍ୟମ ଚଳାଇଥିବାରୁ ପୁଣି ଡୋକଲାମ ଭଳି ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି। ଭାରତ ଓ ଚୀନ୍ ମଧ୍ୟରେ ଯେ କୌଣସି ସମୟରେ ସୀମା ବିବାଦ ଭୟଙ୍କର ରୂପ ନେଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତିବ୍ଦତର ହୋପିଂଗରେ ୧୩ଟି ଯୁଦ୍ଧ ବିମାନ ଓ ହେଲିକପ୍ଟର ମୁତୟନ କରାଯାଇଥିବା ବେଳେ ହଟ୍ନା, ହୋଲିବେସ୍, ଡିଙ୍ଗାଜିଙ୍ଗ ଅଂଚଳରେ ମଧ୍ୟ ଯୁଦ୍ଧ ବିମାନ ମୁତୟନ କରାଯାଇଛି।
ଗତବର୍ଷ ଚୀନ୍ ବାୟୁସେନା ଏଠାରେ ଯେଉଁ ଅନୁପାତରେ ଯୁଦ୍ଧ ବିମାନ ମୁତୟନ କରିଥିଲା ଚଳିତ ବର୍ଷ ତାହାକୁ ବହୁ ପରିମାଣରେ ବଢ଼ାଇ ନିଜ ଶକ୍ତି ପ୍ରଦର୍ଶନ କରିଛି। ପ୍ରକୃତ ନିୟନ୍ତ୍ରଣ ରେଖାଠାରୁ ୧୦ କିମି ଦୂର ପର୍ଯ୍ୟନ୍ତ ଉପଗ୍ରହ ମାଧ୍ୟମରେ ଚୀନ୍ ନଜର ରଖିଛି ଏବଂ ନିଜ ସ୍ଥିତିକୁ ମଜବୁତ କରିଚାଲିଛି। ଚୀନ୍ର ପିପୁଲ୍୍ସ ଲିବରେସନ ଆର୍ମି ଭାରତ-ତିବ୍ଦତ ସୀମା ଅଂଚଳରେ ୨ଟି ମାନବରହିତ ହେଲିକପ୍୍ଟର ଦ୍ୱାରା ତଥ୍ୟ ସଂଗ୍ରହ ଚଳାଇଛି। ଡୋକଲାମ ସଙ୍କଟ ପରେ ପିଏଲଏ ଏବେ ଭିନ୍ନ ଭିନ୍ନ ଅଂଚଳରେ ବିବାଦ ବଢ଼ାଇ ଭାରତକୁ ଚାପରେ ରଖିବାକୁ ଷଡ଼ଯନ୍ତ୍ର କରୁଥିବାରୁ ଏହାର ଉଚିତ ଜବାବ ଦେବାକୁ ଭାରତୀୟ ସେନା ମଧ୍ୟ ତୟାର ରହିଛି। ଭାରତୀୟ ସୁରକ୍ଷା ଏଜେନ୍୍ସିଗୁଡ଼ିକ ଏ ନେଇ ଅହରହ ନଜର ରଖିଥିବା ବେଳେ ସୀମା ସୁରକ୍ଷା କଡ଼ାକଡ଼ି କରିବାକୁ ପଦକ୍ଷେପ ନିଆଯାଉଛି।