ନୂଆଦିଲ୍ଲୀ : ତାମିଲନାଡ଼ୁର କୁନ୍ନୁରଠାରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ଜେନେରାଲ ବିପିନ ରାଓ୍ବତଙ୍କୁ କେବଳ ଭାରତ ନୁହେଁ ବିଶ୍ବର ବିଭିନ୍ନ ଦେଶରୁ ଶୋକବାର୍ତ୍ତା ପହଞ୍ଚିବାରେ ଲାଗିଛି । କେତେକ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସେନାମୁଖ୍ୟଙ୍କ ତରଫରୁ ଶୋକବାର୍ତ୍ତା ଆସିଛି । ଏପରିକି ପାକିସ୍ତାନ ସରକାର ଓ ସେନା ମଧ୍ୟ ଶୋକବାର୍ତ୍ତା ଜଣାଇଛନ୍ତି । କିନ୍ତୁ ଚୀନ ସରକାରଙ୍କ ତରଫରୁ ସେପରି କୌଣସି ଔପଚାରିକ ଶୋକବାର୍ତ୍ତା ଆସିନାହିଁ । କେବଳ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସୁନ ଓ୍ବେଇଡଙ୍ଗ ଏକ ଟୁଇଟ୍ କରି ନିଜର କର୍ତ୍ତବ୍ୟ ସାରି ଦେଇଛନ୍ତି ।

Advertisment

ଚୀନ ସରକାର ଶୋକବାର୍ତ୍ତା କ’ଣ ପଠାଇବେ ଚୀନର ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ଏହି ଦୁର୍ଘଟଣାକୁ ନେଇ ତାଚ୍ଛଲ୍ୟ କରାଯାଇଛି । ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି ଯେ ଏହି ହେଲିକପ୍ଟର ଦୁର୍ଘଟଣା ଭାରତୀୟ ସେନାର ଦୁର୍ବଳତାକୁ ପଦାରେ ପକାଇଦେଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏମଆଇ-୧୭ ଭି-୫ ହେଲିକପ୍ଟର ଏକ ଅତ୍ୟାଧୁନିକ ହେଲିକପ୍ଟର । ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ଦୁର୍ଘଟଣାଗ୍ରସ୍ତ ହେବା ବିଶ୍ବାସଯୋଗ୍ୟ ନୁହେଁ । ଏଣୁ  ଏହା ମାନବୀୟ ତ୍ରୁଟି କାରଣରୁ ହୋଇଛି । ଭାରତୀୟ ସେନାର ତାଲିମରେ ଅନେକ ଦୁର୍ବଳତା ରହିଛି । ପୁଣି ଭାରତୀୟ ସେନାର ଖାମଖିଆଲି ପ୍ରକୃତି, ଅଭିଜ୍ଞତାର ଅଭାବ ଓ ଯନ୍ତ୍ରପାତିର ନିୟମିତ ରକ୍ଷଣାବେକ୍ଷଣ ଯୋଗୁଁ  ସବୁବେଳେ ଦୁର୍ଘଟଣା ଘଟି ଚାଲିଛି ।