ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ପୂର୍ବ ଲଦାଖର ବିବାଦୀୟ ଡେମଚୋକ୍ କ୍ଷେତ୍ରରେ ଚାଇନା ଟେଣ୍ଟ୍

ନୂଆଦିଲ୍ଲୀ: ପୂର୍ବ ଲଦାଖର ବିବାଦୀୟ କ୍ଷେତ୍ର ଡେମଚୋକରେ ଚୀନର ଟେଣ୍ଟ୍ । ଏପରି ଖବର ଏବେ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଡେମଚୋକ୍ କ୍ଷେତ୍ରର ଭାରତୀୟ ପଟେ ଚୀନର କିଛି ନାଗରିକ ତମ୍ବୁ ଟାଣି ରହୁଛନ୍ତି । ଭାରତୀୟ ସେନା ପକ୍ଷରୁ ସେମାନଙ୍କୁ ନିଜ କ୍ଷେତ୍ରକୁ ଫେରିଯିବା ପାଇଁ କୁହାଯାଇଥିଲେ ମଧ୍ୟ ସେମାନେ ସେଠାରୁ ହଟି ନଥିବା ବରିଷ୍ଠ ସେନା ଅଧିକାରୀଙ୍କଠାରୁ ସୂଚନା ମିଳିଛି । ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ଡେମଚୋକ୍ର ଚାଣ୍ଟି ନାଲା ନିକଟରେ ତମ୍ବୁଟାଣୀ ରହୁଥିବା ଲୋକ ନିଜକୁ ଚୀନର ନାଗରିକ ବୋଲି ପରିଚୟ ଦେଇଛନ୍ତି । ପ୍ରକୃତ ନିୟନ୍ତ୍ରଣ ରେଖାର ବିବାଦୀୟ ଡେମଚୋକ୍ କ୍ଷେତ୍ରରେ ପୂର୍ବରୁ ଦୁଇ ଦେଶର ସେନା ମୁହାଁମୁହିଁ ହୋଇ ସାରିଛନ୍ତି ।

୧୯୯୦ରେ ଭାରତ–ଚୀନ ମିଳିତ କାର୍ଯ୍ୟ ସମୂହ କମିଟି ଦ୍ୱାରା ଡେମଚୋକ୍ ଓ ଟ୍ରିଗ୍ ହାଇଟ୍ସକୁ ବିବାଦୀୟ କ୍ଷେତ୍ର ଭାବେ ଗ୍ରହଣ କରାଯାଇଥିଲା । ଏହାଛଡା ଦୁଇ ଦେଶର ସେନା ଏହି ସ୍ଥାନରେ ନିଜ ନିଜ ଆଧିପତ୍ୟ ବିସ୍ତାର କରିବେ ନାହିଁ ବୋଲି ଭାରତ ଓ ଚୀନ ସେନା ସ୍ୱୀକାର କରିଥିଲେ ।

ପରବର୍ତ୍ତୀ ସମୟରେ ନକ୍ସାର ଆଦାନ ପ୍ରଦାନ ପରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ୧୨ଟି ବିବାଦୀୟ କ୍ଷେତ୍ର ଭାବେ ତାଲିକାରେ ଅନ୍ତର୍ଭୁକ୍ତ ହେଲା । ସମର ଲୁଙ୍ଗପା, ଡେପସାଙ୍ଗ ବୁଲଗେ, ପଏଣ୍ଟ ୬୫୫୬, ଚାଙ୍ଗଲୁଙ୍ଗ ନାଲା, କୋଙ୍ଗକାଲା, ପେଙ୍ଗୟଙ୍ଗସ୍ତୋ ନର୍ଥ ବ୍ୟାଙ୍କ, ସ୍ପଙ୍ଗୁର, ମାଉଣ୍ଟସଜ୍ଜୁନ, ଡୁମଚେ ଲେ ଏବଂ ଚୁନାର ମୋଟ୍ ୧୨ ଟିବିବାଦୀୟ କ୍ଷେତ୍ରରେ ଉଭୟ ଦେଶର ସେନା ନିଜ ଆଧିପତ୍ୟ ଜାହିର କରିବେ ନାହିଁ ବୋଲି ସ୍ଥିର ହୋଇଥିଲା । ହେଲେ ଏହି ୧୨ଟି କ୍ଷେତ୍ରକୁ ଛାଡିକି ଲଦାଖରେ ମଧ୍ୟ ଭାରତୀୟ ସୀମା ପାର ହୋଇ ସେନାଙ୍କ ଗତିରୋଧ କରିଥିଲା ଚୀନ । ଫଳରେ ଲଦାଖରେ ଆହୁରି ୫ଟି କ୍ଷେତ୍ରକୁ ଡିସପ୍ୟୁଟ ପଏଣ୍ଟ୍ ଭାବେ ତାଲିକାରେ ଅନ୍ତର୍ଭୁକ୍ତ କରାଗଲା । ପୂର୍ବ ଲଦାଖରେ ଗତ ୨୦୨୦ ମେ ମାସରୁ ଦୁଇ ଦେଶର ସେନା ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି ।

ସୀମା ବିବାଦକୁ ନେଇ ସୋମବାର ଭାରତ ଓ ଚୀନ ମଧ୍ୟରେ ୧୨ତମ କମାଣ୍ଡର ସ୍ତରୀୟ ବୈଠକ ହେବାର ଥିଲା । ମାତ୍ର ୨୬ ଜୁଲାଇ କାରଗିଲ ବିଜୟ ଦିବସ ଭାବେ ଭାରତୀୟ ସେନାର ଏକ ଖାସ ଦିନ ଥିବାରୁ ଏହି ବୈଠକକୁ କିଛି ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ଯାହା ଅଗଷ୍ଟ ପ୍ରଥମ ସପ୍ତାହରେ ହୋଇପାରେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର