ଚୀନ୍‌ ସାଇବର ଆକ୍ରମଣ ଆଶଙ୍କା ବେଶି, ଡଟ୍‌ ଲୋଡ଼ିଲା ସୁରକ୍ଷା ତନଖି

ନୂଆଦିଲ୍ଲୀ: ଚୀନ୍‌ର ସାଇବର ହଡ଼ପକାରୀଙ୍କ ଦ୍ବାରା ସଂଗଠିତ ଉପାୟରେ ଭାରତରେ ଅଧିକ ସାଇବର ଆକ୍ରମଣ ହେବାର ଆଶଙ୍କା ଦେଖାଯାଇଛି। ତେଣୁ ଏହାର ମୁକାବିଲା ପାଇଁ ଟେଲିଯୋଗାଯୋଗ ବିଭାଗ ପକ୍ଷରୁ ଏହା ଅଧୀନ ସମସ୍ତ ୱେବ୍‌ ପୋର୍ଟାଲ୍‌ ଓ ୱେବ୍‌ସାଇଟ୍‌ଗୁଡ଼ିକର ସୁରକ୍ଷା ତନଖି ପାଇଁ ନିର୍ଦ୍ଦେଶ କରାଯାଇଛି। ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଗତ ଜୁନ୍‌ ୧୫ ତାରିଖ ରାତିରେ ଗଲଵାନ୍‌ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ଓ ପରେ ଚଳିତ ମାସରେ ଭାରତ ସରକାର ୫୯ଟି ଚୀନୀ ମୋବାଇଲ୍ ଆପ୍‌କୁ ନିଷିଦ୍ଧ ଘୋଷଣା କରିବା ପରଠାରୁ ଏଭଳି ସାଇବର ଆକ୍ରମଣ ଆଶଙ୍କା ବହୁଗୁଣିତ ହୋଇଛି। ଏପରିକି ଦୈନିକ ୧୦ ହଜାରରୁ ଅଧିକ ଥର ଏଭଳି ଆକ୍ରମଣ ଉଦ୍ୟମ ହୋଇଥିବା ଜଣାଯାଇଛି।

ଏହି ସାଇବର ଆକ୍ରମଣ ଭିତରେ ଅଧିକାଂଶ ଡିଡିଓଏସ୍‌(ଡିଷ୍ଟ୍ରିବୁଟେଡ୍‌ ଡିନାୟାଲ୍‌ ଅଫ୍‌ ସର୍ଭିସ୍‌), ନକଲି ୱେବ୍‌ ପୃଷ୍ଠା ଛାଡ଼ି ତଥ୍ୟ ହଡ଼ପ(ଫିସିଂ), ତଥ୍ୟ ହେର୍‌ଫେର ଏବଂ ବ୍ୟବହାରକାରୀର କମ୍ପ୍ୟୁଟରକୁ ଦୂରରୁ ପରିଚାଳନା କରିବା ଆଦି ରହିଛି। ଆଗରୁ କେବଳ କୌତୂହଳୀ ସାଇବର ଆକ୍ରମଣକାରୀମାନେ ବିନା ନଉଦ୍ଦେଶ୍ୟରେ ଜଣକୁ ବାଟବଣା କରିବା ସହ ଦ୍ବନ୍ଦ୍ବ ସୃଷ୍ଟି କରିବା ପାଇଁ ବିଶେଷ କରି ସରକାରୀ ୱେବ୍‌ପୋର୍ଟାଲଗୁଡ଼ିକୁ ନିଶାଣ କରୁଥିଲେ। ଏବେ କିନ୍ତୁ ବ୍ୟକ୍ତିଗତ ତଥ୍ୟ ହଡ଼ପ କରିବା ଲାଗି ସାଇବର ଆକ୍ରମଣକାରୀମାନେ ତତ୍ପର ହୋଇପଡ଼ିଛନ୍ତି। ଏହାର ମୁକାବିଲା ପାଇଁ ଟେଲିଯୋଗାଯୋଗ ବିଭାଗ ପକ୍ଷରୁ ସମସ୍ତ ସମ୍ବେଦନଶୀଳ ସରକାରୀ ୱେବ୍‌ସାଇଟ୍‌ ଓ ପୋର୍ଟାଲ୍‌ଗୁଡ଼ିକର ସାଇବର ସୁରକ୍ଷା ପକ୍କା କରିବା ପାଇଁ କୁହାଯାଇଛି। ସେହିପରି ଅନ୍ୟ ମନ୍ତ୍ରଣାଳୟ ଓ ବିଭାଗୀୟ ୱେବ୍‌ସାଇଟ୍‌ଗୁଡ଼ିକୁ ଅଗଷ୍ଟ ୩୧ ସୁଦ୍ଧା ଗଭ.ଇନ୍‌ ଡୋମେନ୍‌କୁ ସ୍ଥାନାନ୍ତର କରାଇବା ପାଇଁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର