ଚୀନ୍‌ ସାଇବର୍‌ ଆକ୍ରମଣ କାରଣରୁ ଗତବର୍ଷ ମୁମ୍ବାଇରେ ବିଜୁଳି ଯୋଗାଣ ବ୍ୟାହତ ହୋଇ ଥାଇପାରେ: ‘ଏନ୍‌ଓ୍ଵାଇଟି’ ରିପୋର୍ଟ

ନୂଆଦିଲ୍ଲୀ: ଗତବର୍ଷ ମୁମ୍ବାଇରେ ହୋଇଥିବା ବିଜୁଳି ବିଭ୍ରାଟ ଚୀନ୍‌ର ‘ସାଇବର୍‌’ ଆକ୍ରମଣ ଯୋଗୁଁ ହୋଇ ଥାଇପାରେ ବୋଲି ଏକ ଅଧ୍ୟୟନ ରିପୋର୍ଟରେ ପ୍ରକାଶ ପାଇଛି। ଭାରତ ଓ ଚୀନ୍‌ ସୀମା ବିବାଦ ସହ ଏହି ଘଟଣାର ସମ୍ପୃକ୍ତି ଥିବା କଥା ଆଶଙ୍କା କରାଯାଉଛି।

‘ଦି ନ୍ୟୁୟର୍କ ଟାଇମ୍‌ସ୍‌’ରେ (ଏନ୍‌ଓ୍ଵାଇଟି) ପ୍ରକାଶିତ ରିପୋର୍ଟ ଅନୁସାରେ, ସୀମାନ୍ତରେ ଚୀନ୍‌ ଓ ଭାରତ ମଧ୍ୟରେ ବିବାଦ ଚାଲିଥିବା ବେଳେ ସମଗ୍ର ଭାରତକୁ ବିଜୁଳି ଯୋଗାଉ ଥିବା ‘କଣ୍ଟ୍ରୋଲ୍‌ ସିଷ୍ଟମ୍‌’ ମଧ୍ୟକୁ ‘ମାଲ୍‌େଓ୍ଵର୍‌’ ବା କମ୍ପ୍ୟୁଟର୍‌ ଭାଇରସ୍‌ ଛଡ଼ା ଯାଇଥାଇପାରେ। ସୂଚନାଯୋଗ୍ୟ, ମୁମ୍ବାଇ ବିଜୁଳି ବିଭ୍ରାଟ ଘଟଣାରେ ଚୀନ୍‌ର ସାଇବର୍‌ ଆକ୍ରମଣ ସମ୍ପୃକ୍ତି ସମ୍ପର୍କରେ ଏହା ପ୍ରଥମ ରିପୋର୍ଟ ନୁହେଁ। ପୂର୍ବରୁ ମଧ୍ୟ କେତେକ ଗଣମାଧ୍ୟମ ଏ ଭଳି ରିପୋର୍ଟ ଦେଇଥିଲେ।

ଗତବର୍ଷ ଅକ୍ଟୋବର ୧୨ ତାରିଖରେ ସମଗ୍ର ମୁମ୍ବାଇରେ ସକାଳ ୧୦ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। କିନ୍ତୁ, ମଧ୍ୟାହ୍ନ ବେଳକୁ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସଜାଡ଼ି ଦିଆଯାଇଥିଲା। ପାଦ୍‌ଘାରେ ଥିବା ‘ଷ୍ଟେଟ୍‌ ଲୋଡ୍‌ ଡିସ୍ପାଚ୍‌ ସେଣ୍ଟର୍‌’ରେ ‘ମାଲ୍‌େଓ୍ଵର୍‌’ ଛଡ଼ାଯାଇଥିବା କଥା ପ୍ରାଥମିକ ତଦନ୍ତ ପରେ ମହାରାଷ୍ଟ୍ର ସାଇବର୍‌ ବିଭାଗ ମଧ୍ୟ ଆଭାସ ପାଇଥିଲା।

Image Courtesy of India Today

‘ଦି ନ୍ୟୁୟର୍କ ଟାଇମ୍‌ସ୍‌’ ରିପୋର୍ଟ ଅନୁସାରେ, ‘ରେକର୍ଡେଡ୍‌ ଫ୍ୟୁଚର୍‌’ ନାମକ ସାଇବର ସିକ୍ୟୁରିଟି କମ୍ପାନି ଦ୍ୱାରା ଏହି ‘ମାଲ୍‌େଓ୍ଵର୍‌’ଟିକୁ ଚିହ୍ନଟ କରାଯାଇଛି। ୨୦୦୯ରେ ସଂସ୍ଥାପିତ ଏହି କମ୍ପାନିର ମୁଖ୍ୟାଳୟ ମାସାଚ୍ୟୁସେଟ୍‌ସ୍‌ର ସମର୍‌ଭାଇଲ୍‌ରେ ଅବସ୍ଥିତ। କମ୍ପାନି କହିଛି ଯେ, ଛଡ଼ା ଯାଇଥିବା ଅଧିକାଂଶ ‘ମାଲ୍‌େଓ୍ଵର୍‌’ଗୁଡ଼ିକୁ ସକ୍ରିୟ କରାଯାଇ ନ ଥିଲା। ଏହାର ଅର୍ଥ ସ୍ୱଳ୍ପସଂଖ୍ୟକ ସକ୍ରିୟ ‘ମାଲ୍‌େଓ୍ଵର୍‌’ ଯୋଗୁଁ ମୁମ୍ବାଇରେ ବିଜୁଳି ବିଭ୍ରାଟ ହୋଇଥିଲା। କିନ୍ତୁ, କଟକଣା ଯୋଗୁଁ ‘ରେକର୍ଡେଡ୍‌ ଫ୍ୟୁଚର୍‌’ ଏହି ମାଲ୍‌େଓ୍ଵର୍‌ର କୋଡ୍‌ଟିକୁ ପରୀକ୍ଷା କରିପାରିନାହିଁ। ଏହାର ଅର୍ଥ ହେଲା, ଭାରତୀୟ ପାଓ୍ଵାର୍‌ ସିଷ୍ଟମ୍‌ ମଧ୍ୟକୁ ଏହି କମ୍ପାନି ପ୍ରବେଶ କରିପାରି ନାହିଁ। କିନ୍ତୁ, ଏ ସଂକ୍ରାନ୍ତରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି।

ମୁମ୍ବାଇ ବିଜୁଳି ବିଭ୍ରାଟ ପାଇଁ ତଦନ୍ତକାରୀ କମ୍ପାନି ଚୀନ୍‌ ସରକାରଙ୍କ ସମର୍ଥିତ ସଂଗଠନ ‘ରେଡ୍‌ଇକୋ’କୁ ଦାୟୀ କରିଛି।

ସମ୍ବନ୍ଧିତ ଖବର