ଗଲଓ୍ଵାନରେ କେତେ ଚୀନ ସୈନ୍ୟ ମରିଛନ୍ତି ? ମନ୍ତବ୍ୟ ଦେବାକୁ ମନା କଲା ଚୀନ

ବେଜିଂ : ଗଲଓ୍ଵାନ ସଂଘର୍ଷରେ ଭାରତ ଦୁଇଗୁଣ ଚୀନ ସେନାଙ୍କୁ ମାରିଥିବା ସଂପର୍କରେ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସେନାଧ୍ୟକ୍ଷ ଭି.କେ.ସିଂଙ୍କ ବୟାନ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ଚୀନ ମନା କରିଦେଇଛି । ଏ ସଂପର୍କରେ କୌଣସି ତଥ୍ୟ ନାହିଁ ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଛନ୍ତି ଯେ ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରହିଛି । ତେବେ ଭି.କେ.ସିଂଙ୍କ ବୟାନ ସଂପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ । ତେବେ ଚୀନ ପକ୍ଷର ସୈନ୍ୟ ନିହତ ହୋଇଥିଲେ ମଧ୍ୟ ଚୀନ ଏପର୍ଯ୍ୟନ୍ତ ସେହି ତଥ୍ୟ ପ୍ରକାଶ କରୁନାହିଁ ।
ଗତ ଶନିବାରଦିନ ଭି.କେ. ସିଂ କହିଥିଲେ ଯେ,ଭାରତ ମଧ୍ୟ କିଛି ଚୀନ ସେନାଙ୍କୁ ବନ୍ଧକ ରଖିଥିଲା ଓ ସେମାନଙ୍କୁ ମୁକ୍ତ କରିଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ ଯଦି ଭାରତର ୨୦ ସହିଦ ହୋଇଛନ୍ତି, ଚୀନର ନିଶ୍ଚିତ ଭାବେ ଦୁଇଗୁଣ ମରିଥିବେ । ଗଲଓ୍ଵାନ ଘାଟି ଏବେ ବି ଭାରତର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛିି ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର