କରୋନା ତଥ୍ୟ ପ୍ରଦାନ ଚୀନ୍‌ ଜାଣିଶୁଣି ବିଳମ୍ବ କରିଥିଲା!

ୱାସିଂଟନ: କରୋନା ମହାମାରୀକୁ ନେଇ ଚୀନ୍‌ର ସନ୍ଦେହଜନକ ଭୂମିକା ସଂପର୍କରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଚୀନ୍‌ କରୋନା ଭାଇରସ୍‌ ସଂପର୍କରେ ଠିକ୍‌ ସମୟରେ ସବିଶେଷ ତଥ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)କୁ ଦେଇନଥିଲା ଏବଂ ଚୀନ୍‌ ଷଡ଼ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟ ସମଗ୍ର ବିଶ୍ବକୁ ସଙ୍କଟ ଭିତରକୁ ଠେଲି ଦେଇଥିଲା ବୋଲି ଜଣାପଡ଼ିଛି। କରୋନା ସଂପର୍କରେ ଠିକ୍‌ ସମୟରେ ତଥ୍ୟ ଦିଆଯାଇଛି ବୋଲି ଚୀନ୍‌ ସରକାର ଏବଂ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଯେଉଁ ଦାବି କରିଥିଲେ ତାହା ମିଥ୍ୟା ଓ ବିଭ୍ରାନ୍ତିକର ଥିଲା ବୋଲି ଖବର ସରବରାହ ସଂସ୍ଥା ଆସୋସିଏଟଡ଼ ପ୍ରେସ୍‌ (ଏପି)ର ଏକ ଅନୁସନ୍ଧାନମୂଳକ ରିପୋର୍ଟରୁ ଜଣାପଡ଼ିଛି। ଚୀନ୍‌ ଅଧିକାରୀମାନେ କରୋନା ଭାଇରସ୍‌ର ‘ଜିନୋମ’ ଅଧ୍ୟୟନ ରିପୋର୍ଟ ଦେବାରେ ଅହେୁତକ ବିଳମ୍ବ କରିଥିଲେ ଏବଂ ଚୀନ୍‌ ରିପୋର୍ଟ ଦେବାର ସପ୍ତାହକ ପୂର୍ବରୁ ବିଭିନ୍ନ ବିଭିନ୍ନ ରାଷ୍ଟ୍ର ନିଜ ନିଜ ଲ୍ୟାବ୍‌ରେ ଏହି ଭାଇରସ୍‌ର ଗୁଣସୂତ୍ର ରିପୋର୍ଟ ପ୍ରସ୍ତୁତ କରିସାରିଥିଲେ। ତେବେ ଚୀନ୍‌ ଠିକ୍‌ ସମୟରେ କରୋନା ସଂପର୍କିତ ତଥ୍ୟ ଦେଇଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ତୁହାକୁ ତୁହା ବୟାନ ଦେଇ ଚୀନ୍‌କୁ ସୁରକ୍ଷା ଦେଇଚାଲିଥିଲା। ଡବ୍ଲୁଏଚ୍‌ଓ କର୍ତ୍ତୃପକ୍ଷ ଏ ବାବଦରେ ଚୀନ୍‌କୁ ସୁରକ୍ଷା ଦେବାକୁ ଗୋଟିଏ ପରେ ଗୋଟିଏ ଏ ପ୍ରଶଂସାପୂର୍ଣ୍ଣ ବୟାନ ଜାରି କରି ବିଶ୍ବକୁ ଅନ୍ଧାରରେ ରଖିଥିଲେ ବୋଲି ଏବେ ଜଣାପଡ଼ିଛି।

ଚୀନ୍‌ କରୋନା ସଂପର୍କିତ ସମସ୍ତ ତଥ୍ୟକୁ ପ୍ରାଥମିକ ପର୍ଯ୍ୟାୟରେ ଗୁପ୍ତ ରଖିଥିଲା ଏବଂ ସବୁସ୍ତରରେ ରିପୋର୍ଟକୁ ଚପାଇ ରଖିବା ପାଇଁ ପଦକ୍ଷେପ ନେଇଥିଲା। ଏପରିକି ଟେଷ୍ଟିଂ ପାଇଁ କେଉଁ କିଟ୍‌ ବ୍ୟବହାର କରାଯାଉଛି ଏବଂ ସଂକ୍ରମିତଙ୍କୁ କେଉଁ କେଉଁ ଔଷଧ ଦିଆଯାଉଛି ସେ ସଂପର୍କରେ ମଧ୍ୟ ସାମାନ୍ୟ ସୁରାକ୍‌ ଦେଇନଥିଲା। ‘ଏପି’ ପକ୍ଷରୁ ଏ ବାବଦରେ ଅନେକ ଦସ୍ତାବିଜ ସଂଗ୍ରହ କରାଯାଇଛି। ଅନେକ ବିଶେଷଜ୍ଞଙ୍କ ଇମେଲ ଏବଂ ବହୁ ସଂଖ୍ୟାରେ ସାକ୍ଷାତକାରରୁ ଚୀନ୍‌ର ମିଛ ଧରାପଡ଼ିଛି। ତେବେ ଡବ୍ଲୁଏଚ୍‌ଓ ଚୀନ୍‌କୁ ସୁରକ୍ଷା ଦେଇ ଚାଲିଥିଲେ ମଧ୍ୟ ଅସଲରେ ଚୀନ୍‌ର ଆଭିମୁଖ୍ୟ ଏବଂ କରୋନାଜନିତ ବିପଦକୁ ନେଇ ବହୁତ ଚିନ୍ତିତ ଥିଲା। ଚୀନ୍‌ର ବିଳମ୍ବ ଯୋଗୁଁ କରୋନାଭାଇରସ୍‌ ସଂକ୍ରମଣ ଅତି ଜଟିଳ ରୂପ ନେଉଥିବାରୁ ଏ ଦିଗରେ କିଭଳି ପଦକ୍ଷେପ ନିଆଯିବ ତାହା ଡବ୍ଲୁଏଚ୍‌ଓ ଜାଣିପାରୁ ନଥିଲା। ଏକ ବୈଠକରେ ଡବ୍ଲୁଏଚ୍‌ଓ ଶୀର୍ଷ ଅଧିକାରୀ ଡ. ଗୋଡେନ୍‌ ଗେଲ୍‌ କହିଥିଲେ ଯେ ଚୀନ୍‌ ନିଜ ସରକାରୀ ଚ୍ୟାନେଲ ସିସିଟିଭିରେ ଖବର ପ୍ରସାରଣର ମାତ୍ର ୧୫ ମିନିଟ୍ ପୂର୍ବରୁ ତଥ୍ୟ ଦେଉଥିଲା। କରୋନାର ପ୍ରାରମ୍ଭିକ ପର୍ଯ୍ୟାୟରେ ଚୀନ୍‌ର ଷଡ଼ଯନ୍ତ୍ରପୂର୍ଣ୍ଣ ଆଚରଣ ଏବଂ ଡବ୍ଲୁଏଚ୍‌ଓର ନିରବତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି । ଚୀନ୍‌ ଏ କ୍ଷେତ୍ରରେ ଅନ୍ତର୍ଜାତୀୟ ନିୟମ ଉଲ୍ଲଂଘନ କରିବା ସହ କରୋନାଭାଇରସ୍‌କୁ ନେଇ ବିଶ୍ବବାସୀଙ୍କୁ ବିଭ୍ରାନ୍ତ କରିଥିବା ଅନେକ ନଜିର ସାମ୍ନାକୁ ଆସିଛି। ଚୀନ୍‌ ସର୍ବଦା ଠିକ୍‌ ସମୟରେ ଡବ୍ଲୁଏଚ୍‌ଓକୁ ତଥ୍ୟ ଦେଉଛି ବୋଲି ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ବୟାନକୁ ଏପି ରିପୋର୍ଟ ମିଥ୍ୟା ପ୍ରମାଣିତ କରିଛି। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି କରୋନା ମହାମାରୀ ପାଇଁ ସିଧାସଳଖ ଚୀନ୍‌କୁ ଦାୟୀ କରିବା ଏବଂ ଡବ୍ଲୁଏଚ୍‌ଓ ସହ ସଂପର୍କ ଛିନ୍ନ କରିବାକୁ ଘୋଷଣା କରିବା ଏବେ ଯୁକ୍ତିଯୁକ୍ତ ସାବ୍ୟସ୍ତ ହୋଇଛି। ଡବ୍ଲୁଏଚ୍‌ଓ ଏବେ ପ୍ରମୁଖ ରାଷ୍ଟ୍ରମାନଙ୍କ ଚାପରେ ସମସ୍ତ ଅଭିଯୋଗର ତଦନ୍ତ ହେବ ବୋଲି ଘୋଷଣା କରିଛି।

ସମ୍ବନ୍ଧିତ ଖବର