ନିଜ ମୃତ ସୈନିକଙ୍କୁ ପୋତିଥିବା ମନାକଲା ଚୀନ୍‌

ୱାସିଂଟନ: ଗତ ମାସ ୧୫ ତାରିଖ ରାତିରେ ଲଦାଖ ସୀମାନ୍ତ ଗଲଵାନ୍‌ ଉପତ୍ୟକାରେ ଚୀନୀ ସେନା ସହ ଭାରତୀୟ ଯବାନଙ୍କ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ଜଣେ ମେଜରଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ସେମାନଙ୍କୁ ଭାରତ ସରକାର ଯଥାରୀତି ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ବିଦାୟ ଜଣାଇଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ସଂପୃକ୍ତ ସହିଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରମାନଙ୍କୁ ମଧ୍ୟ ସମବେଦନା ଜ୍ଞାପନ କରିଥିଲେ। ଅପରପକ୍ଷେ, ଘଟଣାର ମାସକ ପରେ ମଧ୍ୟ ଚୀନୀ କର୍ତ୍ତୃପକ୍ଷ ନିଜ ମୃତ ସୈନିକଙ୍କ ସମ୍ପର୍କରେ କିଛି ବି ତଥ୍ୟ ପ୍ରଘଟ କରିନାହାନ୍ତି। ଏପରିକି ଏହି ସଂଘର୍ଷରେ ଅତି କମ୍‌ରେ ୪୩ ଜଣ ଚୀନୀ ସୈନିକ ମରିଥିବା ଗୁଇନ୍ଦା ସୂଚନା ମିଳିଥିବା ବେଳେ କେହି କେହି ମଧ୍ୟ ଏହି ସଂଖ୍ୟାକୁ ଶତାଧିକ ବୋଲି ଦାବି କରୁଛନ୍ତି।

ମାତ୍ର ଜିନ୍‌ ପିଙ୍ଗ ସରକାର ତାଙ୍କର ଅଳ୍ପ କେତେ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସ୍ବୀକାର କରୁଥିଲେ ହେଁ ମୃତ ସୈନିକଙ୍କ ବିବରଣୀ ଏଯାଏ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ଏପରିକି ମୃତ ସୈନିକଙ୍କ ପରିବାରକୁ ସେମାନଙ୍କ ଦେହାବଶେଷ ପ୍ରଦାନ ତ କରାଯାଉନାହିଁ, ଏଥି ସହିତ ପରମ୍ପରା ଅନୁଯାୟୀ ଶେଷକୃତ୍ୟ ନପାଳିବା ପାଇଁ ମଧ୍ୟ ପରିବାର ଲୋକଙ୍କୁ ବାଧ୍ୟ କରାଯାଉଥିବା ଅଭିଯୋଗ ହେଉଛି। ଏହା ଦ୍ବାରା ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀର ସୈନିକଙ୍କୁ ବେଜିଂ ସରକାର ଉଚିତ୍ ସମ୍ମାନ ଦେଉନାହାନ୍ତି ବୋଲି ଚର୍ଚ୍ଚା ହେବା ସହ ସେନା ପରିବାରରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ମୃତ ସୈନିକଙ୍କ ବିବରଣୀକୁ ତ ଲୁଚାଇ ରଖିଲେ ଏବଂ ଶେଷରେ ସେମାନଙ୍କ ଦେହାବଶେଷଗୁଡ଼ିକୁ ମାଟିରେ କବର ଦେଇନାହାନ୍ତି ବୋଲି ଏବେ ମନା କହୁଛନ୍ତି। ଆମେରିକୀୟ ଗୁଇନ୍ଦା ସଂସ୍ଥାକୁ ମିଳିଥିବା ସୂଚନାନୁଯାୟୀ, ଚୀନୀ ବେସାମରିକ ବ୍ୟାପାର ମନ୍ତ୍ରୀ କୁଆଡ଼େ ଗଲଵାନ୍‌ ସଂଘର୍ଷରେ ନିହତ ସୈନିକଙ୍କ ପରିବାରବର୍ଗଙ୍କୁ ଡକାଇ ସେମାନେ ପାରମ୍ପରିକ ଅନ୍ତିମ ସଂସ୍କାର ଉତ୍ସବ ଭୁଲିଯାଇ କେବଳ ଦେହାବଶେଷକୁ ଗୋପନ ଭାବେ ପୋତିଦେବାକୁ କହିଛନ୍ତି। ଏଥି ସହିତ କୌଣସି ପ୍ରକାର ଶେଷକୃତ୍ୟ ସେବା ଅତ୍ୟନ୍ତ ଗୋପନୀୟ ଭାବେ ସାରିବାକୁ ପରାମର୍ଶ କରିଛନ୍ତି। ଯଦିଓ ଏପରି କରିବା ପାଇଁ ସରକାର ମହାମାରୀ କୋଭିଡ୍-୧୯ର ସଂକ୍ରମଣକୁ କାରଣ ବୋଲି ବାହାନା କରିଛନ୍ତି, ତେବେ ମୁଖ୍ୟ ଉଦ୍ଦେଶ୍ୟ ହେଲା ସର୍ବସାଧାରଣ ସଚେତନତାକୁ ଦମନ କରିବା। ବୀର ସୈନିକଙ୍କ ଏପରି ଦୁଃଖଦ ମୃତ୍ୟୁର ସ୍ମୃତି ଯେପରି କେହି ମନେ ନରଖିବେ ତାହା ହିଁ ସରକାରଙ୍କ ନୂଆ ଆଇନର ଅଂଶବିଶେଷ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର