୨୦ ଲକ୍ଷ ମୁସଲିମଙ୍କୁ ବନ୍ଦୀ କରାଯାଇଥିବା ଖବରକୁ ଚୀନର ଖଣ୍ଡନ

ବେଜିଂ : ଚୀନରେ ସଂଖ୍ୟାଲଘୁ ଉଇଘୁର ମୁସଲିମମାନଙ୍କୁ ଏକ କ୍ୟାମ୍ପରେ ବନ୍ଦୀ କରି ଅକଥନୀୟ ନିର୍ଯ୍ୟାତନା ଦିଆଯାଉଥିବା ଖବରକୁ ଚୀନ ସରକାର ଖଣ୍ଡନ କରିଛନ୍ତି । ଚୀନର ଜିଜିଆଙ୍ଗ ଉଇଘୁର ଅଟନମସ ରିଜନରେ ଏପରି କୌଣସି କ୍ୟାମ୍ପ ନାହିଁ ବୋଲି ଚୀନ ସରକାର କହିଛନ୍ତି । ତେବେ ଚୀନ ସରକାର ଏହା ମଧ୍ୟ କହିଛନ୍ତି ଯେ ଏ ଅଂଚଳରେ କେତେକ ଧନ୍ଦା ମୂଳକ ତାଲିମ କେନ୍ଦ୍ର ରହିଛି ଯେଉଁଠାରେ ଛୋଟ ମୋଟ ଅପରାଧରେ ବନ୍ଦୀ ଥିବା କଏଦୀମାନଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଉଛି ଯେପରିକି ସେମାନେ ବାହାରିବା ପରେ ବିଭିନ୍ନ କାର୍ଯ୍ୟ କରିପାରିବେ । ଅନ୍ୟପକ୍ଷରେ ଏ ଅଂଚଳରେ ବୁର୍ଖା ପିନ୍ଧିବାକୁ ନିଷିଦ୍ଧ କରିବା ନିଷ୍ପତ୍ତି ଠିକ ବୋଲି ଚୀନ ସରକାର ଦର୍ଶାଇଛନ୍ତି । ଏହା ସ୍ଥାନୀୟ ପରମ୍ପରା ବିରୋଧୀ ଓ ଆତଙ୍କବାଦ ବିରୋଧୀ ଲଢେଇପାଇଁ ଜରୁରୀ ବୋଲି ବେଜିଂ କହିଛି ।

କିଛିଦିନ ପୂର୍ବେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଚୀନ ପକ୍ଷରୁ ପ୍ରାୟ ୨୦ ଲକ୍ଷ ଓ୍ଵିଘର ଓ ମୁସଲିମ ସଂଖ୍ୟାଲଘୁଙ୍କୁ ଜବରଦସ୍ତି ବିଭିନ୍ନ ରାଜନୈତିକ କ୍ୟାମ୍ପରେ ରଖି ସେମାନେ ଯେପରି ଧର୍ମ ତଥା ରୀତିନୀତିକୁ ଭୁଲି କମ୍ୟୁନିଜିମକୁ ଗ୍ରହଣ କରିବେ ସେ ନେଇ ସେମାନଙ୍କୁ ଜବରଦସ୍ତି ଶିକ୍ଷା ଦିଆଯାଉଛି । ପଶ୍ଚିମ ଚୀନରେ ଥିବା ଜିଜିଆଙ୍ଗ ରାଜ୍ୟ ମୁସଲିମ ବହୁଳ ହୋଇଥିବାରୁ ସେଠାରେ ଇସ୍ଲାମିକ ଆନ୍ଦୋଳନ ଦିନକୁ ଦିନ ବଢିବାରେ ଲାଗିଛି । ବିଚ୍ଛିନ୍ନତାବାଦ ମଧ୍ୟ ବଢିଚାଲିଛି । ଏ ଅଂଚଳରେ ଆତଙ୍କବାଦ ମଧ୍ୟ ଦିନକୁ ଦିନ ବଢିଚାଲିଛି ବୋଲି ଚୀନ ସ୍ୱୀକାର କରିଛି । ଏହାକୁ ଦମନ କରିବାକୁ ଚୀନ ସେମାନଙ୍କ ଉପରେ ଏପରି ଅତ୍ୟାଚାର ଚଳାଇଛି ବୋଲି ଜାତିସଂଘ କହିଛି ।

ସମ୍ବନ୍ଧିତ ଖବର