ଏଲଏସି ନିକଟରେ ସାମରିକ ବିମାନ ଘାଟି ନିର୍ମାଣ କରୁଛି ଚୀନ

ନୂଆଦିଲ୍ଲୀ :  ଲଦାଖ ନିକଟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ନିଜର ସାମରିକ ଭିତ୍ତିଭୂମିକୁ ସୁଦୃଢ କରିଚାଲିଛି ଚୀନ । ଚୀନ ପୂର୍ବରୁ ସଡ଼କ, ସ୍ଥାୟୀ ସେନା ଶିବିର, ହେଲିପ୍ୟାଡ୍ ଆଦି ନିର୍ମାଣ କରିଥିବାବେଳେ ଏବେ ସେଠାରେ ବିମାନ ଘାଟି ନିର୍ମାଣ କରୁଛି ।

ମିଳିଥିବା ସୂଚନା ଅନୁସାରେ ଚୀନ ପୂର୍ବ ଲଦାଖ ନିକଟରେ ଥିବା ସିଜିଆନ ପ୍ରଦେଶର ସାକଚେ ଟାଉନ ନିକଟରେ ଏକ ବିମାନ ଘାଟି ନିର୍ମାଣ କରୁଛି । ଏଠାରେ ଚୀନ ଲଢୁଆ ବିମାନ ମୁତୟନ କରିବ । ଏହି ବିମାନଘାଟିରୁ ଲଢୁଆ ବିମାନ ଉଡ଼ି ଭାରତ ଉପରେ ସହଜରେ ଆକ୍ରମଣ କରିପାରିବେ ବୋଲି ଚୀନ ଚିନ୍ତା କରୁଛି । ପୂର୍ବରୁ କାସଗର ଓ ହୋଗାନଠାରେ ଚୀନର ବାୟୁସେନା ଘାଟି ଥିଲା । ଏହି ନୂଆ ବିମାନ ଘାଟିଟି କାସଗର ଓ ହୋଗାନ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ।

ସାକଚେରେ ପୂର୍ବରୁ ଏକ ବିମାନଘାଟି ଥିବାବେଳେ ଏବେ ତାହାର ବିକାଶ କରାଯାଇ ଲଢୁଆ ବିମାନ ପାଇଁ ପ୍ରସ୍ତୁତ କରାଯାଉଛି । ଏହି ବିମାନଘାଟିଟି ଅପେକ୍ଷାକୃତଭାବେ ଏଲଏସି ନିକଟରେ ଅବସ୍ଥିତ ହୋଇଥିବାରୁ ତାହା ଭାରତର ଚିନ୍ତା ବଢାଇଦେଇଛି ।

ସମ୍ବନ୍ଧିତ ଖବର