ମାଳଦ୍ୱୀପକୁ ଆଳ କରି ଭାରତ ସହ ସଂପର୍କକୁ ଖରାପ କରାଯିବ ନାହିଁ : ଚୀନ

ନୂଆଦିଲ୍ଲୀ: ମାଳଦ୍ୱୀପ ସଂକଟକୁ ନେଇ ଭାରତ ସହ ସଂପର୍କକୁ ଖରାପ ହେବାକୁ ଦିଆଯିବ ନାହିଁ ।  ସେଠାକାର ସମସ୍ୟାର ସମାଧାନ କିପରି ବାହାରିବ ସେ ନେଇ ନୂଆଦିଲ୍ଲୀ ସହ ଆଲୋଚନା କରାଯାଉଛି ବୋଲି ଚୀନ କହିଛି ।

ଭାରତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ମାଳଦ୍ୱୀପ ପରେ ଏବେ ଜରୁରୀପରିସ୍ଥିତି ଜାରି ହୋଇଥିବାବେଳେ ସେଠାକାର ବିରୋଧୀ ଦଲ ଭାରତର ସାମରିକ ହସ୍ତକ୍ଷେପ ଚାହୁଁଛନ୍ତି । କିନ୍ତୁ ଚୀନ ଏହାକୁ ବିରୋଧ କରୁଛି । ମାଳଦ୍ୱୀପରେ ଦେଖାଦେଇଥିବା ସଂକଟକୁ ଉକ୍ତ ଦେଶବାସୀ ନିଜେ ସମାଧାନ କରିବା ଆବଶ୍ୟକ,କୌଣସି ବାହାର ଦେଶ ଏଥିରେ ମୁଣ୍ଡପୁରାଇବା ଉଚିତ ନୁହେଁ ବୋଲି ବେଜିଂ କହିଆସୁଛି । ମାଳଦ୍ୱୀପ ସୁପ୍ରିମକୋର୍ଟ ରାୟକୁ ଭାରତ, ବ୍ରିଟେନ ଓ ଆମେରିକା ସମର୍ଥନ କରୁଥିବାବେଳେ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନଙ୍କୁ ସମର୍ଥନ କରିଛି ଚୀନ ।  ମୁଖ୍ୟ କଥା ହେଉଛି ଚୀନ ମାଳଦ୍ୱୀପ ସରକାରଙ୍କୁ ହାତ କରି ଭାରତ ମହାସାଗରୀୟ ଅଂଚଳରେ ନିଜର ପ୍ରଭାବ ବୃଦ୍ଧି ଓ ଭାରତର ପ୍ରଭାବ କମାଇବାକୁ ଉଦ୍ୟମ କରୁଛି । ଏହା ଫଳରେ ଏହି ପ୍ରସଙ୍ଗରେ  ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି ।  କିନ୍ତୁ ମାଳଦ୍ୱୀପକୁ ଆଳକରି ପୁଣି ଥରେ ଚୀନ ଭାରତ ସହ ବିବାଦରେ ଫସିବାକୁ ଚାହୁଁନାହିଁ ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ।

ଡୋକଲାମ ଓ ପାକିସ୍ତାନି ଆତଙ୍କବାଦୀ ମାସୁଦ ଆଜାର ପ୍ରସଙ୍ଗରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଗତ କିଛି ବର୍ଷ ଧରି ଖରାପ ଅବସ୍ଥା ରହିଛି । ମାଳଦ୍ୱୀପ ପ୍ରସଙ୍ଗରେ ଏହି ସଂପର୍କକୁ ଆହୁରି ଖରାପ କରିବାକୁ ଚାହୁଁନାହିଁ ଚୀନ । କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ମାଳଦ୍ୱୀପ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାହେବା ପରେ ଚୀନ ଟିକିଏ ନରମ ପଡିଛି । ତେବେ ଅନ୍ତର୍ଜାତୀୟ ସମୁଦାୟ ମାଳଦ୍ୱୀପର ସାର୍ବଭୌମତ୍ୱ ପ୍ରତି ସମ୍ମାନ ଜଣାଇ ତାହାକୁ ସହାୟତା କରିବା ଆବଶ୍ୟକ ବୋଲି ଚୀନ ସରକାର କହିଛନ୍ତି ।

 

ସମ୍ବନ୍ଧିତ ଖବର