ଚୀନ ଭୂମିକମ୍ପ ମୃତ୍ୟୁସଂଖ୍ୟା ୬୫କୁ ବୃଦ୍ଧି, ଧ୍ବଂସସ୍ତୁପ ତଳେ ଫସି ରହିଛନ୍ତି ୨୦୦ ଲୋକ

ନୂଆଦିଲ୍ଲୀ : ଚୀନରେ ହୋଇଥିବା ଭୂମିକମ୍ପ ଯୋଗୁଁ ମୃତ୍ୟୁସଂଖ୍ୟା ୬୫ରେ ପହଞ୍ଚିଛି । ଏହା ସହିତ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଉଦ୍ଧାର ଓ ସହାୟତା କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଚୀନ ରାଷ୍ଟ୍ରପତି ସି ଜିନି ପିଙ୍ଗ୍ ନିର୍ଦ୍ଦେଶ ଦେଇଛନ୍ତି ।

ଚୀନ ଗଣମାଧ୍ୟମର ସୂଚନା ଅନୁସାରେ ଏବେ ବି ୨୦୦ରୁ ଅଧିକ ଲୋକ ବିଭିନ୍ନ ଧ୍ବଂସସ୍ତୁପ ତଳେ ଫସି ରହିଛନ୍ତି । ସେମାନଙ୍କୁ ଠାବ କରିବା ସହ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ଏହି ଭୂମିକମ୍ପ ଯୋଗୁଁ କରୋନାରେ ପ୍ରଭାବିତ ହୋଇଥିବା ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଭୂକମ୍ପ ପ୍ରଭାବିତ ଅଂଚଳରେ ଟେଲିକମ ସେବା, ବିଦ୍ୟୁତ ସେବା ଓ ଜଳଯୋଗାଣ ବ୍ୟାହତ ହୋଇଛି । ଏସବୁ ସେବା ଆରମ୍ଭ ପାଇଁ ଉଦ୍ୟମ କରାଯାଉଛି ।

ଗତ ସୋମବାର ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ଥିଲା । ଚୀନ ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ସୂଚନା ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ସିଚୁଆନ ପ୍ରଦେଶର କାଂଗିଙ୍ଗ ସହରଠାରୁ ୪୩ କିଲୋମିଟର ଦକ୍ଷିଣପୂର୍ବ ଦିଗରେ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଥିଲା । ଏହି ଭୂମିକମ୍ପର କମ୍ପନ ପ୍ରାୟ ୧୦୦ କିଲୋମିଟର ଦୂର ସାଙ୍କସି ଓ ଗିନଝୁରେ ଅନୁଭୂତ ହୋଇଥିଲା ।

ଏହି ଭୂମିକମ୍ପର ପ୍ରଭାବ ସିଚୁଆନ ପ୍ରଦେଶର ରାଜଧାନୀ ଚେଙ୍ଗଡୁରେ ବି ଅନୁଭୂତ ହୋଇଥିଲା । ଏହି ଅଂଚଳରେ ଅନେକ ଘର ଭାଙ୍ଗିଯାଇଥିବା ଜଣାଯାଇଛି ।

 

ସମ୍ବନ୍ଧିତ ଖବର