ଚୀନ୍‌ ନିର୍ମିତ କରୋନା ଟିକା ନେଇଥିବା ଭାରତୀୟଙ୍କ ପାଇଁ ଭିସା ଆବେଦନ କୋହଳ କଲା ଚୀନ

ନୂଆଦିଲ୍ଲୀ: ଭାରତରେ ଥିବା ଚୀନ୍‌ ଦୂତବାସ ପକ୍ଷରୁ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଛି। ଯେଉଁ ଭାରତୀୟମାନେ ଚୀନ୍‌ ନିର୍ମିତ କୋଭିଡ୍-୧୯ ଟିକା ନେବେ ସେମାନଙ୍କ ପାଇଁ ଭିସା ଆବେଦନ କୋହଳ କରିବ ଚୀନ୍‌। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏ ପର୍ଯ୍ୟନ୍ତ କିନ୍ତୁ ଭାରତରେ ଚୀନ୍‌ ନିର୍ମିତ କରୋନା ଟିକା ଉପଲବ୍ଧ ହୋଇନାହିଁ।
କରୋନା ଭାଇରସ୍ ବୃଦ୍ଧି କାରଣରୁ ଗତ ବର୍ଷ ନଭେମ୍ବର ମାସରେ ବିଦେଶୀମାନଙ୍କ ପ୍ରବେଶରେ ରୋକ ଲଗାଇଥିଲା ଚୀନ୍‌। ଏ ବର୍ଷ ଟିକା ବାହାରିଯିବା ପରେ ଦୂତବାସ ପକ୍ଷରୁ ଏହି ନୂତନ ଘୋଷଣା କରାଯାଇଛି।

ଦୂତବାସ ପକ୍ଷରୁ ସୂଚନା ଦିଆଯାଇଛି ଯେ ଚୀନ୍ ନିର୍ମିତ କରୋନା ଟିକା ଗ୍ରହଣ କରିବା ପରେ ଚାକିରି ହେଉ କିମ୍ବା ଅନ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ କାମରେ ଚୀନ୍ ଯାଉଥିବା ବ୍ୟକ୍ତି ଓ ତାଙ୍କର ପରିବାରବର୍ଗ ଭିସା ଅବେଦନ ସେବା କେନ୍ଦ୍ର ଜରିଆରେ ଦୂତବାସ କିମ୍ବା କନ୍ସୁଲେଟ୍ସରେ ସେମାନଙ୍କର ଭିସା ଆବେଦନ କରିପାରିବେ।

ଚୀନ୍‌ ନାଗରିକଙ୍କ ପରିବାର ସଦସ୍ୟ କିମ୍ବା ସେଠାକାର ସ୍ଥାୟୀ ବାସିନ୍ଦାଙ୍କ ସକାଶେ ମହାମାରୀ ପୂର୍ବରୁ ଭିସା ଆବେଦନ ପ୍ରକ୍ରିୟା ଯେପରି ଥିଲା ସେପରି ରହିଛି। ଦୂତାବାସ ପକ୍ଷରୁ ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ ଭାରତରୁ ଚୀନ୍ ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସକାଶେ ଉଡ଼ାଣ ପୂର୍ବରୁ ବୈଦୂତିକ ସ୍ବାସ୍ଥ୍ୟ ଘୋଷଣାନାମା ଜରୁରୀ। ସେମାନେ ଉଡ଼ାଣ ପୂର୍ବରୁ ଫର୍ମରେ ନିଜର ସମସ୍ତ ସୂଚନା ପ୍ରଦାନ କରିବା ସହ ସ୍ବାସ୍ଥ୍ୟାବସ୍ଥାର ଏକ ଘୋଷଣାନାମା, ନ୍ୟୁକ୍ଲିକ୍ ଏସିଡ୍ ଟେଷ୍ଟ୍ ଓ ଆଇଜିଏମ୍ ଆଣ୍ଟିବଡି ଟେଷ୍ଟ୍‌ର ନେଗେଟିଭ ସାର୍ଟିଫିକେଟ୍, ପାସପୋର୍ଟ, ବୈଧ ଚୀନ୍ ଭିସା ପ୍ରଦାନ କରିବେ, ଯାହାକୁ ପରବର୍ତ୍ତୀ ମୁହୂର୍ତ୍ତରେ ଦୂତବାସ କିମ୍ବା କନ୍ସୁଲେଟ୍ସରେ ଯାଞ୍ଚ୍ କରାଯିବ।

ସମ୍ବନ୍ଧିତ ଖବର