ନୂଆଦିଲ୍ଲୀ: ମଝି ଆକାଶରେ ବିମାନରେ ଲାଗିଲା ନିଆଁ। ଚୀନର ଏକ ବିମାନ ଉଡ଼ାଣ କରିବା ପରେ ମଝି ଆକାଶାରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ନିଆଁ ପିଣ୍ଡୁଳା ହୋଇ ତଳକୁ ଖସି ପଡ଼ିଛି ଚୀନ୍ର ବୋଇଙ୍ଗ ୭୩୭ ବିମାନ। ଦୁର୍ଘଟଣା ସମୟରେ ବୋଇଙ୍ଗ ୭୩୭ରେ ସମୁଦାୟ ୧୩୩ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ କେତେ ଲୋକ ପ୍ରାଣ ହରାଇଛନ୍ତି ସେ ସମ୍ବନ୍ଧରେ ଏପର୍ଯ୍ୟନ୍ତ ସୂଚନା ମିଳିପାରିନାହିଁ।
ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଚୀନର ବୋଇଙ୍ଗ ୭୩୭ କୁନ୍ମିଙ୍ଗରୁ ଗୁଆଙ୍ଗଝୁକୁ ଯାଉଥିଲା। ଏହି ସମୟରେ ଗୁଆଙ୍ଗସି ଅଞ୍ଚଳରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା। ଭାଇରାଲ ହେଉଥିବା ଫଟୋରେ ଦେଖାଯାଇଛି ଯେ, ଦୁର୍ଘଟଣା ପରେ ଗୁଆଙ୍ଗସି ଅଞ୍ଚଳରେ ନିଆଁ ସହ ଚାରିଆଡ଼େ ଧୂଆଁ ଦେଖାଯାଉଛି। ବିମାନ ଏମୟୁ ୫୭୩୫ ବିମାନ ଦକ୍ଷିଣ-ପଶ୍ଚିମ ଚାଇନାର ୟୁନାନ ପ୍ରଦେଶରେ ଥିବା କୁନମିଙ୍ଗ ସହରର ଚାଙ୍ଗସୁଇ ବିମାନବନ୍ଦରରୁ ମଧ୍ୟାହ୍ନ ୧.୧୫ରେ ଉଡ଼ାଣ କରିଥିଲା। ବିମାନକୁ ଗୁଆଙ୍ଗଡୋଙ୍ଗ୍ ପ୍ରଦେଶର ଗୁଆଙ୍ଗଜୋରେ ଦିନ ୩ଟାରେ ପହଞ୍ଚିବାାର ଥିଲା। କିନ୍ତୁ ଏହା ପୂର୍ବରୁ ମଝି ଆକାଶରେ ନିଆଁ ପିଣ୍ଡୁଳରେ ପରିଣତ ହୋଇଥିଲା ବିମାନ।
ଏବେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିବା ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଉଥିବା ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ମାତ୍ର ସାଢ଼େ ୬ବର୍ଷ ପୁରୁଣା ଥିଲା ବୋଲି କୁହାଯାଉଛି। ଜୁନ୍ ୨୦୧୫ରେ ବିମାନଟି ପ୍ରଥମ ଉଡ଼ାଣ କରିଥିଲା। ଏମୟୁ ୫୭୩୫ରେ ସମୁଦାୟ ୧୬୨ଟି ସିଟ୍ ଥିଲା, ସେଥିମଧ୍ୟରୁ ୧୨ଟି ବିଜନେସ କ୍ଲାସ୍ ଏବଂ ୧୫୦ଟି ଇକୋନମି କ୍ଲାସ ଥିଲା ବୋଲି ଜଣାପଡ଼ିଛି।