ନେପାଳରେ ଚୀନ୍‌ର ଜବରଦଖଲ; ହମ୍‌ଲାର ଲାପ୍‌ଚା-ଲିମି ଅଞ୍ଚଳରେ ବେଆଇନ ଭାବେ ଗଢ଼ିଛି ୯ଟି କୋଠା

ନୂଆଦିଲ୍ଲୀ: ବିସ୍ତାରବାଦ ନୀତିରେ ଚୀନ୍ ତା’ର ସୁଖଦୁଃଖର ବନ୍ଧୁ ନେପାଳକୁ ମଧ୍ୟ ଛାଡ଼ିନାହିଁ। ବିନା ସମ୍ମତି ଓ ଅନୁମତିରେ ନେପାଳର ଆଉ ଏକ ଅଞ୍ଚଳରେ ଜବର ଦଖଲ କରି ଚୀନ୍‌ ୯ଟି କୋଠା ନିର୍ମାଣ କରିଛି।

ଚୀନ୍ ଜବର ଦଖଲ କରିଥିବା ନେପାଳୀ ଅଞ୍ଚଳ ହେଉଛି ହୁମ୍‌ଲା ଜିଲ୍ଲା ଅନ୍ତର୍ଗତ ଏକ ଅଞ୍ଚଳ। ସେଠାରେ ଚୀନ୍ ଗୋପନରେ କୋଠା ନିର୍ମାଣ କରିବା ସହ ସେଠାକୁ ନେପାଳୀ ନାଗରିକମାନଙ୍କ ମଧ୍ୟ ଛାଡୁନାହିଁ।

Image Courtesy of Zee News

ସ୍ଥାନୀୟ ଗ୍ରାମ କାଉନ୍‌ସିଲ୍‌ର ଅଧ୍ୟକ୍ଷ ବିଷ୍ଣୁ ବାହାରଦୁର ଲାମା ସେ ଅଞ୍ଚଳ ପରିଦର୍ଶନରେ ଯିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା। ସେ ଦେଖିଲେ, ଚୀନ୍ ସୈନିକମାନେ ଲାପ୍‌ଚା ଗାଁର ଲିମି ସାହିରେ କୋଠା ନିର୍ମାଣ ଶେଷ କରିଛନ୍ତି। କୋଠା ନିର୍ମାଣ ହୋଇଥିବା ଗାଁର ସେ ପଟକୁ ଯିବା ଲାଗି ମଧ୍ୟ ତାଙ୍କୁ ଅନୁମତି ଦିଆଯାଇ ନ ଥିଲା।

ଲାମା କହିଛନ୍ତି ଯେ, ସେ ଚୀନା ସୈନିକମାନଙ୍କ ସହ କଥାବାର୍ତ୍ତା କରିବାକୁ ଉଦ୍ୟମ କରିଥିଲେ କିନ୍ତୁ, ତାହା ବ୍ୟର୍ଥ ହୋଇଥିଲା। ସେମାନେ କିଛି ଉତ୍ତର ନ ଦେଇ ତାଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। ଏହାପରେ ଲାମା ତାଙ୍କ ମୋବାଇଲ୍‌ ଫୋନ୍‌ରେ ନବନିର୍ମିତ କୋଠାର ଫଟୋ ଉତ୍ତୋଳନ କରି ଆଣିଥିଲେ। ସେଥିରୁ ଜଣାପଡୁଛି ନେପାଳ ଅଞ୍ଚଳର ଦୁଇ କିଲୋମିଟର୍ ଅଭ୍ୟନ୍ତରରେ ଉକ୍ତ କୋଠା ସବୁ ନିର୍ମିତ ହୋଇଛି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଦୁଇ ମାସ ତଳେ ଚୀନ୍ ନେପାଳର ଗୋର୍ଖା ଜିଲ୍ଲା ଅନ୍ତର୍ଗତ ରୁଇ ଗାଁକୁ ନିଜ ଅଞ୍ଚଳରେ ସାମିଲ କରିଥିଲା।

ସମ୍ବନ୍ଧିତ ଖବର