ଚୀନ୍‌ ସେନା ପାଇଲା ଅତ୍ୟାଧୁନିକ କ୍ୟୁଟିଏସ୍‌-୧୧ ଯୁଦ୍ଧାସ୍ତ୍ର; ଭାରତ ସୀମାନ୍ତରେ ମୁତୟନ ହେବ

ବେଜିଂ: ଚୀନ୍‌ ଏବେ ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଜ ସୈନ୍ୟ ବାହିନୀ (ପିପୁଲସ୍‌ ଲିବରେସନ୍‌ ଆର୍ମି)ର ଯବାନଙ୍କୁ ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ଯୁଦ୍ଧାସ୍ତ୍ରରେ ସଜ୍ଜିତ କରୁଛି। ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ଯୁଦ୍ଧାସ୍ତ୍ରକୁ ସୂଚନାପ୍ରଦାନକାରୀ ଯୁଦ୍ଧାସ୍ତ୍ର (ଇନ୍‌ଫରମାଟାଇଜଡ୍‌ ଓ୍ଵାରଫେୟାର) କୁହାଯାଉଛି। ଏପରି ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ଯୁଦ୍ଧାସ୍ତ୍ର ପୂର୍ବରୁ କେବଳ ମାତ୍ର ଆମେରିକୀୟ ସୈନ୍ୟ ବାହିନୀ ନିକଟରେ ଦେଖିବା ପାଇଁ ମିଳୁଥିଲା। ଏହି ଯୁଦ୍ଧାସ୍ତ୍ରଗୁଡ଼ିକରେ ସୂଚନା ଜ୍ଞାନକୌଶଳ (ଆଇଟି)ର ପୂର୍ଣ୍ଣ ବିନିଯୋଗ କରାଯାଇଛି। ଯବାନଙ୍କ ପାଇଁ ଉଦ୍ଦିିଷ୍ଟ ଥିବା ପୋଷାକରେ ଏହି ଯୁଦ୍ଧାସ୍ତ୍ରକୁ ଖଞ୍ଜା ଯାଇଛି, ଯାହାକି ସେମାନଙ୍କୁ ଯୁଦ୍ଧକ୍ଷେତ୍ରରେ ପରିସ୍ଥିତି ଓ ଶତ୍ରୁପକ୍ଷ ସଂପର୍କରେ ସମସ୍ତ ଗୁଇନ୍ଦା ସୂଚନା ପ୍ରଦାନ କରିବାକୁ ସକ୍ଷମ ହେବ। ଏଥିସହ ଶତ୍ରୁପକ୍ଷର ବିଶେଷ ସାମରିକ ସାଜସଜ୍ଜା ସଂପର୍କରେ ମଧ୍ୟ ଏହି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପରିଧାନକାରୀକୁ ସମସ୍ତ ପ୍ରକାରର ତଥ୍ୟ ଯଥେଷ୍ଟ ପୂର୍ବରୁ ଯୋଗାଇ ଦେବ। ଏହି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରର ନାମ ହେଉଛି କ୍ୟୁଟିଏସ୍‌-୧୧।
ପ୍ରଥମ ପର୍ଯ୍ୟାୟରେ ଚୀନ୍‌ ସେନା ବାହିନୀରେ ଥିବା ସ୍କାଇ ଓ୍ଵଲ୍ଫ କମାଣ୍ଡୋମାନଙ୍କୁ ଏହି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କ୍ୟୁଟିଏସ୍‌-୧୧ ବାବଦରେ ତାଲିମ୍‌ ପ୍ରଦାନ କରାଯିବା ସହ ସେମାନଙ୍କୁ ପ୍ରଥମେ ଏହି ଯୁଦ୍ଧାସ୍ତ୍ର ପ୍ରଦାନ କରାଯିବ ବୋଲି ଚୀନ୍‌ ସରକାରଙ୍କ ପରିଚାଳନାଧୀନ କେନ୍ଦ୍ରୀୟ ଟେଲିଭିଜନ ସୂତ୍ରରୁ ଜଣାପଡ଼ିଛି। ତେବେ, ଏ ସଂପର୍କରେ ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେଇଟି ହେଉଛି, ଚୀନ୍‌ର ପଶ୍ଚିମରେ ରହିଥିବା ଦୀର୍ଘ ୩,୪୮୮ କିଲୋମିଟର ବ୍ୟାପି ରହିଥିବା ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଏହି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବହନକାରୀ ସେନାମାନଙ୍କୁ ମୁତୟନ କରିବ ଚୀନ୍‌।

ଚୀନ୍‌ର ସରକାରୀ ମୁଖପାତ୍ର ‘ଗ୍ଲୋବାଲ୍‌ ଟାଇମସ୍‌’ରେ ପ୍ରକାଶିତ ଚୀନ୍‌ର ସାମରିକ ବିଶେଷଜ୍ଞ ସଙ୍ଗ୍‌ ଝଙ୍ଗପିଙ୍ଗ୍‌ଙ୍କ ସୂଚନା ଅନୁଯାୟୀ ଏହି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କ୍ୟୁଟିଏସ୍‌-୧୧ ବହନ କରୁଥିବା ବା ପରିଧାନ କରୁଥିବା ଜଣେ ଜଣେ ସେନା ଗୋଟିଏ ଗୋଟିଏ ସୈନ୍ୟ ବାହିନୀ ସହ ସମାନ। କାରଣ, କ୍ୟୁଟିଏସ୍‌-୧୧ ଧାରଣ ବା ପରିଧାନ କରିଥିବା ବ୍ୟକ୍ତି ସବୁଠାରୁ ଅଧିକ ଆକ୍ରମଣଶାଳୀ ବୋଲି ପରିଗଣିତ ହୋଇଥାଏ। ସଂପୂର୍ଣ୍ଣ ଡିଜିଟାଲ୍‌ ଓ ଆଇଟି ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧାସ୍ତ୍ରରେ ସମସ୍ତ ପ୍ରକାରର ଅତ୍ୟାଧୁିନକ ସୁବିଧାସୁଯୋଗ ସହ ରାତି ଅନ୍ଧାରରେ ଦେଖିପାରିବା ସମେତ ଆସଲ୍ଟ ରାଇଫଲ୍‌ ସମେତ ୨୦ ମିଲିମିଟରର ଗ୍ରେନେଡ୍‌ ଲଞ୍ଚର ସୁବିଧା ରହିଛି। ଆଉ ଏସବୁକୁ ଶତ୍ରୁ ଆଡ଼କୁ ଧରି ଲକ୍ଷ୍ୟକରି ଫୁଟାଇବାର ବା ଚଳାଇବାର ଆବଶ୍ୟକତା ନାହିଁ; ଖାଲି ନିର୍ଦ୍ଦେଶ ଦେବା ମାତ୍ରେ ଏହା ସ୍ୱୟଂ ଚାଳିତ ହୋଇ ଯାଇ ଶତ୍ରୁକୁ ନିପାତ୍‌ କରିବ।

ସାଂପ୍ରତିକ ପରିସ୍ଥିତରେ ଭାରତ ଓ ଚୀନ୍‌ ମଧ୍ୟରେ ପାରସ୍ପରିକ ସଂପର୍କ ଦିନକୁ ଦିନ ତିକ୍ତ ହୋଇ ଚାଲିଥିବା ବେଳେ ଚୀନ୍‌ର ଏ ପ୍ରକାରର ଆଭିମୁଖ୍ୟକୁ ଭାରତ କିପରି ଗ୍ରହଣ କରୁଛି, ତାହାକୁ ଦେଖିବାକୁ ଏବେ ସମଗ୍ର ବିଶ୍ୱ ଅପେକ୍ଷା କରି ରହିଛି।

ସମ୍ବନ୍ଧିତ ଖବର