ନିଜର ଆଣବିକ ଅସ୍ତ୍ର ସଂଖ୍ୟା ଦ୍ରୁତ ଗତିରେ ବଢାଇ ଚାଲିଛି ଚୀନ, ଦ୍ବିତୀୟ ଆଣବିକ କ୍ଷେପଣାସ୍ତ୍ର ଘାଟିର ସନ୍ଧାନ ମିଳିଲା

ଓ୍ବାସିଂଟନ : ନିଜକୁ ବିଶ୍ବର ସୁପରପାଓ୍ବାର ଭାବେ ପ୍ରତିଷ୍ଠିତ କରିବାକୁ ଚାହୁଁଥିବା ଚୀନ ନିଜର ଆଣବିକ ଅସ୍ତ୍ରାଗରକୁ ଦ୍ରୁତ ଗତିରେ ବୃଦ୍ଧି କରିଚାଲିଛି । ନିକଟରେ ଚୀନର ଆଉ ଏକ ଆଣବିକ କ୍ଷେପଣାସ୍ତ୍ର ଘାଟିର ସନ୍ଧାନ ପାଇଛନ୍ତି ଆମେରିକାର ଜଣେ ଗବେଷକ ।
ଫେଡେରେସନ ଅଫ ଆମେରିକାନ ସାଇଣ୍ଟିଷ୍ଟସ (ଏଫଏଏସ)ର ଆଣବିକ ସୂଚନା ପ୍ରକଳ୍ପରେ ଗବେଷକ ଥିବା ମାଟ୍ କୋର୍ଡା ଉପଗ୍ରହ ଫଟୋର ବିଶ୍ଳେଷଣ କରି ଚୀନର ପୂର୍ବ ସିଜିଆଙ୍ଗ୍ ପ୍ରଦେଶର ହାମିଠାରେ ଥିବା ଏକ ନୂଆ ଆଣବିକ କ୍ଷେପଣାସ୍ତ୍ର ଘାଟିର ସନ୍ଧାନ ପାଇଛନ୍ତି । ଏହି ଘାଟିରେ ମୋଟ ୧୧୦ଟି ସାଇଲୋ ରହିଛି । ସାମରିକ ଭାଷାରେ ସାଇଲୋର ଅର୍ଥ ହେଉଛି ଭୂତଳ ଚାମ୍ପରରେ କ୍ଷେପଣାସ୍ତ୍ର ରଖିବା ସ୍ଥାନ । ସେଠାରୁ ସିଧାସଳଖ କ୍ଷେପଣାସ୍ତ୍ର ଉତକ୍ଷେପଣ କରିହେବ । କିଛି ସପ୍ତାହ ତଳେ ଚୀନର ୟୁମେନଠାରେ ଆଉ ଏକ ଆଣବିକ କ୍ଷେପଣାସ୍ତ୍ର ଘାଟିର ସନ୍ଧାନ ମିଳିଥିଲା ।
ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି କ୍ଷେପଣାସ୍ତ୍ର ଘାଟିଗୁଡିକ ପ୍ରମାଣିତ କରୁଛି ଯେ ଚୀନ ନିଜକୁ ବିଶ୍ବର ସୁପରପାଓ୍ବାର ଭାବେ ପ୍ରତିଷ୍ଠିତ କରିବାକୁ ଦ୍ରୁତ ଗତିରେ ସାମରିକ ଓ ଆଣବିକ ଶକ୍ତି ବୃଦ୍ଧି କରିଚାଲିଛି ।

ସମ୍ବନ୍ଧିତ ଖବର