ଚନ୍ଦ୍ରରେ ଆଣବିକ ରିଆକ୍ଟର୍‌ ସ୍ଥାପନା ପାଇଁ ଆମେରିକା ଯୋଜନା କରୁଥିବାରୁ ଚୀନ୍‌ ଭୟଭୀତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଜାରି କରିଥିବା ନୂଆ ‘ସ୍ପେସ୍‌ ପଲିସି ଡିରେକ୍ଟିଭ୍‌’ (ଏସ୍‌ପିଡି) ବଳରେ ଯୁକ୍ତରାଷ୍ଟ୍ର ଆମେରିକା ଶକ୍ତି ବିଭାଗ ସହଯୋଗରେ ୨୦୨୬ ସୁଦ୍ଧା ‘ନାସା’ ଚନ୍ଦ୍ରପୃଷ୍ଠରେ ଆଣବିକ ରିଆକ୍ଟର୍‌ ସ୍ଥାପନ କରିବାକୁ ପ୍ରସ୍ତୁତି କରୁଥିବାରୁ ଚୀନ୍‌ ଭୟଭୀତ ହୋଇ ଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଭଲରୂପେ ବିକଶିତ କରିସାରିବା ପରେ ‘ନାସା’ ଚନ୍ଦ୍ରପୃଷ୍ଠରେ ଏହି ଆଣବିକ ରିଆକ୍ଟର୍‌ ପରୀକ୍ଷା କରିବ। ‘ନାସା’ ଏବଂ ଶକ୍ତି ବିଭାଗ ଦ୍ୱାରା ଏକ ୧୦ କିଲୋଓ୍ଵାଟ୍‌ବିଶିଷ୍ଟ ‘ଫିଜନ୍‌ ସର୍ଫେସ୍‌ ପାଓ୍ଵାର୍‌ ସିଷ୍ଟମ୍‌’ ପ୍ରସ୍ତୁତ କରାଯିବା ପରେ ଚନ୍ଦ୍ରପୃଷ୍ଠରେ ତାହାକୁ ପରୀକ୍ଷା କରାଯିବ। ୨୦୨୦ ଦଶନ୍ଧି ଶେଷ ଭାଗକୁ ଚନ୍ଦ୍ରପୃଷ୍ଠରେ ‘ନାସା’ ଏହାର ପରୀକ୍ଷା କରିବାକୁ ଯୋଜନା କରୁଛି।

Image Courtesy of UNILAD

ଏ ଖବର ପାଇବା ପରେ ଚୀନ୍‌ ଭୟଭୀତ ହୋଇ ବିଶ୍ୱ ସମ୍ପ୍ରଦାୟଙ୍କୁ ଚନ୍ଦ୍ରପୃଷ୍ଠରେ ଆମେରିକା ସ୍ଥାପନ କରିବାକୁ ଯୋଜନା କରୁଥିବା ଆଣବିକ ଶକ୍ତି କେନ୍ଦ୍ରର କୁପରିଣାମ ବିଷୟରେ ସତର୍କ କରାଇଛି। ଚୀନ୍‌ ସରକାରଙ୍କ ମୁଖପତ୍ର ‘ଗ୍ଲୋବାଲ୍‌ ଟାଇମ୍ସ’ ରିପୋର୍ଟ କରିଛି, ଅନ୍ୟମାନଙ୍କ ସମ୍ଭାବ୍ୟ କ୍ଷତି ପ୍ରତି ଧ୍ୟାନ ନ ଦେଇ ମହାକାଶର ‘ସୁପର୍‌ ପାଓ୍ଵାର୍‌’ ହେବାକୁ ଲକ୍ଷ୍ୟ ରଖିଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏହି ଉଚ୍ଚାଭିଳାଷ ଭବିଷ୍ୟତରେ ଓ୍ଵାସିଂଟନ୍‌ର ‘ଲୁନାର୍‌ ମିଲିଟାରି ପ୍ରୋଜେକ୍ଟ୍‌’ରେ ପରିଣତ ହୋଇପାରେ।

ଆଶଙ୍କା ପ୍ରକାଶ କରି ଚୀନ୍‌ର ସାମରିକ ବିଶେଷଜ୍ଞମାନେ କହିଛନ୍ତି, ଚନ୍ଦ୍ରପୃଷ୍ଠରେ ଥିବା ବ୍ୟାପକ ପରିମାଣର ‘ହିଲିୟମ୍‌-୩’କୁ ‘ନ୍ୟୁକ୍ଲିୟର୍‌ ଫୁଜନ୍‌’କରି ଯୁକ୍ତରାଷ୍ଟ୍ର ଆମେରିକା ଶକ୍ତି ଉତ୍ପାଦନ କରିପାରେ। ସେମାନେ ଦାବି କରିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା ଚନ୍ଦ୍ରକୁ ଏକ ଆଣବିକ ଅସ୍ତ୍ର ଉତ୍ପାଦନ କେନ୍ଦ୍ରରେ ପରିଣକ କରିବ।

ସମ୍ବନ୍ଧିତ ଖବର