ଲଦାଖରେ ସ୍ଥିତି ଗୁରୁତର, ତିନି ସେନାର ଜରୁରୀ ବୈଠକ ଡକାଇଲେ ମୋଦୀ

ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢିଚାଲିଛି । ଏହାକୁ ନେଇ ଭାରତ ସରକାର  ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।  ସ୍ଥିତିର ସମୀକ୍ଷା କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜରୁରୀ ବୈଠକ ଡକାଇଛନ୍ତି । ବୈଠକରେ ସିଡିଏସ ବିପିନ ରାୱତ, ତିନିସେନା ମୁଖ୍ୟ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହାଛଡ଼ା ମୋଦୀ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ସିଗଲାଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଅଲଗାଭାବେ ସିଡିଏସ ରାୱତ ଓ ତିନିସେନା ମୁଖ୍ୟଙ୍କୁ ଭେଟି ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ସୀମାରେ ଚୀନ ସେନା ନିଜର ଶକ୍ତି ବଢାଇଚାଲିଥିବାବେଳେ ଭାରତ ମଧ୍ୟ ତାହାକୁ ତାଳଦେଇ ନିଜର ସୈନସଂଖ୍ୟା ବଢାଇଚାଲିଛି । ଦୁଇଦେଶ ମଧ୍ୟ କୂଟନୈତିକ ସ୍ତରରେ  ଆଲୋଚନା ଚାଲିଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁନାହିଁ । ଚୀନ ସୀମାରେ ଭାରତ ପକ୍ଷରୁ ଭିତ୍ତିଭୂମି ନିର୍ମାଣକୁ ବିରୋଧ କରୁଛି ।

ମାତ୍ର ଏଥର ସ୍ଥିତି ଅଧିକ ଗୁରୁତର ଆକାର ଧାରଣ କରିବାରେ ଲାଗିଛି । ତେବେ ଚୀନର ଚାପ ସତ୍ତ୍ବେ ସୀମାରେ ସଡ଼କ ଓ ପୋଲ ଆଦି ଭିତ୍ତିଭୂମି ନିର୍ମାଣ ଜାରି ରଖିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁସାରେ ଚୀନ ସେନା ଭାରତୀୟ ସୀମା ମଧ୍ୟରୁ ଫେରିଯିବାକୁ ମନା କରିଦେଇଛି । ଭାରତ ନିର୍ମାଣ କାମ ବନ୍ଦ ନକଲେ ଉତ୍ତେଜନା କମିବ ନାହିଁ ବୋଲି ଚୀନ ସ୍ପଷ୍ଟ କରିଦେଇଛି । କିନ୍ତୁ କାମ ବନ୍ଦ ହେବ ନାହିଁ ଭାରତ ରୋକଠୋକ କହିଦେଇଛି ।

ସମ୍ବନ୍ଧିତ ଖବର