ନୂଆଦିଲ୍ଲୀ: ନୂଆବର୍ଷରେ ଚୀନ୍ ଗଲୱାନରେ ନିଜର ପତାକା ଉଡ଼ାଇ ଏହି ଉପତ୍ୟକା ଉପରେ ନିଜର ଦାବି ଦୋହରାଇଛି। ଚୀନ୍ ସରକାରଙ୍କ ବିଭିନ୍ନ ମୁଖପତ୍ରରେ ଏହାର ଭିଡିଓ ଜାରି ହୋଇଛି। ଗ୍ଲୋବାଲ ଟାଇମ୍ସ ଟ୍ବିଟ୍ କରିଛି ଯେ ଜାନୁଆରି ପହିଲାରେ ଗଲୱାନରେ ପତାକା ଉଡ଼ାଇ ଓ ତା’ର ଫଟୋ ସେୟାର କରି ଚୀନ୍ ସେନା (ପିଏଲ୍ଏ) ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛି। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ରର ବିଜେପି-ନେତୃତ୍ବାଧୀନ ମୋଦୀ ସରକାରକୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଏହା ଉପରେ ନିଜର ନିରବତା ଭଙ୍ଗ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ବାନ ଦେଇଛନ୍ତି। ରାହୁଲ କହିଛନ୍ତି, କିଛିଦିନ ତଳେ ଭାରତ ୧୯୭୧ର ବିଜୟ ଉତ୍ସବ ପାଳନ କରୁଥିଲା। ଦେଶର ସୁରକ୍ଷା ନିମନ୍ତେ ଦୃଢ଼ ନିଷ୍ପତ୍ତିର ଆବଶ୍ୟକତା ଅଛି। ଫାଙ୍କା ଆବାଜର କିଛି ମୂଲ୍ୟ ନାହିଁ।
ସାମରିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଲଦାଖର ପାଙ୍ଗଙ୍ଗ୍ ହ୍ରଦ ଉପରେ ଚୀନ୍ ଏକ ପୋଲ ନିର୍ମାଣ କରୁଛି। ହ୍ରଦର ଯେଉଁ ଜାଗାରେ ଚୀନ୍ ଏହି ପୋଲ ନିର୍ମାଣ କରୁଛି ତାହା ଚୀନ୍ ଅଞ୍ଚଳ ଅନ୍ତର୍ଗତ। ଏହି ପୋଲ ହ୍ରଦର ଦୁଇ କୂଳକୁ ସଂଯୋଗ କରୁଛି। ଚୀନ୍ ପାଙ୍ଗଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ କରୁଥିବା ଭୂ-ଗୋଇନ୍ଦା ବିଶେଷଜ୍ଞ ଡାମିଏନ ସାଇମନ ସାଟେଲାଇଟ୍ ଚିତ୍ରରୁ ଜାଣିପାରିଛନ୍ତି। ତେବେ ଚୀନ୍ ଅଞ୍ଚଳରେ ନିର୍ମିତ ହୋଇଥିବା ଏହି ପୋଲ ସାମରିକ ଦୃଷ୍ଟିରୁ ଚୀନ୍ ପାଇଁ ବେଶ୍ ଅନୁକୂଳ ହେବ। ଏହି ପୋଲ ଦେଇ ସୈନିକମାନେ ଭାରୀ ଅସ୍ତ୍ରଶସ୍ତ୍ର ନେଇ ସହଜରେ ଓ ଶୀଘ୍ର ଯାତାୟାତ କରିପାରିବେ। ହ୍ରଦର ଏକ ଅଣଓସାରିଆ ଅଂଶରେ ପୋଲଟି ଏକପ୍ରକାର ନିର୍ମାଣ ସରିଲାଣି ବୋଲି ଟ୍ବିଟରରେ ସାଇମନ ସୂଚନା ଦେଇଛନ୍ତି। ଚୀନ୍ ସରକାର ଅରୁଣାଚଳ ପ୍ରଦେଶର ୧୫ଟି ଜାଗାର ନାମ ପରିବର୍ତ୍ତନ କରିବାକୁ ନେଇ କିଛିଦିନ ତଳେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଆମ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା, ଅରୁଣାଚଳ ପ୍ରଦେଶ ସବୁବେଳେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି। ମନଗଢ଼ା ନାମ ଦେଇଦେଲେ ସତ୍ୟଟା ବଦଳିଯିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/464a6dgda65gd65gd.jpg)