ନୂଆଦିଲ୍ଲୀ: ବିସ୍ତାରବାଦୀ ନୀତିକୁ ଅଗ୍ରାଧିକାର ଦେଉଥିବା ଚୀନ୍ ଭାରତକୁ ଲଗାତାର ଚାପରେ ରଖିବାକୁ ପ୍ରୟାସ ଜାରି ରଖିଛି। ଦୁଇ ଦିନ ତଳେ ଚୀନ୍ ଓ ଭାରତ ମଧ୍ୟରେ ଶୀର୍ଷ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିବା ବେଳେ ବୈଠକର ନିଷ୍ପତ୍ତିକୁ ଅଣଦେଖା କରି ଚୀନ୍ ଏଲ୍ଏସିରେ ଏବେ ଯୁଦ୍ଧ ବିମାନ ଉଡ଼ାଉଛି। ଚୀନ୍ର ନୂଆ ପିଢ଼ିର ବିଭିନ୍ନ ଯୁଦ୍ଧ ବିମାନ ନିୟନ୍ତ୍ରଣ ରେଖା ଅଞ୍ଚଳରେ ନିୟମିତ ବ୍ୟବଧାନରେ ଉଡ଼ାଣ ଭରୁଥିବା ଦେଖିବାକୁ ମିଳିଛି। ଚୀନ୍ ଅତ୍ୟାଧୁନିକ ଜେ-୧୧ ଓ ଅନ୍ୟ କେତେକ ଫାଇଟର ଜେଟ୍କୁ ନିୟନ୍ତ୍ରଣ ରେଖାର ଅତି ନିକଟରେ ଉଡ଼ାଉବା ଦ୍ବାରା ଉତ୍ତେଜନା ବଢ଼ୁଛି। ଅନ୍ୟପକ୍ଷରେ ଭାରତ ଚୀନ୍ର ଏହି ଗତିବିଧି ଉପରେ ସତର୍କ ନଜର ରଖିବା ସହ ରାଫେଲ୍, ମିରାଜ ଓ ସୁଖୋଇ ଯୁଦ୍ଧ ବିମାନ ମୁତୟନ କରିଛି। ଭାରତ ଅତ୍ୟନ୍ତ ସତର୍କତାର ସହ ଚୀନ୍ର ଉତ୍ତେଜନାମୂଳକ ପଦକ୍ଷେପଗୁଡ଼ିକର ମୁକାବିଲା କରୁଛି ଏବଂ ଆବଶ୍ୟକସ୍ଥଳେ ନିଜ ବାୟୁସୀମାର ସୁରକ୍ଷା ପାଇଁ ତତ୍କାଳ ଚୀନ୍କୁ ଜବାବ ଦେଉଛି। ଚୀନ୍ର ବିମାନଗୁଡ଼ିକୁ ଭାରତୀୟ ସୀମାରୁ ଦୂରରେ ରଖିବା ପାଇଁ ଏବେ ନୂଆ ରଣନୀତିରେ ପଦକ୍ଷେପ ନିଆଯାଉଛି। ଚୀନ୍ର ପ୍ରତ୍ୟେକଟି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପର ତତ୍କାଳ ଜବାବ ଦିଆଯାଉଛି ଏବଂ ଚୀନ୍କୁ ଆଗକୁ ବଢ଼ିବାକୁ କୌଣସି ସୁଯୋଗ ଦିଆଯାଉନାହିଁ ବୋଲି ବାୟୁସେନା ମୁଖ୍ୟ ଭି ଆର୍ ଚୌଧାରୀ ଏକ କାର୍ଯ୍ୟକ୍ରମରେ ସ୍ପଷ୍ଟ କରିଛନ୍ତି।
ଲଦାଖ ସେକ୍ଟରରେ ଭାରତୀୟ ବାୟୁସେନା ପାଇଁ ଆବଶ୍ୟକ ଥିବା ସମସ୍ତ ଅତ୍ୟାବଶ୍ୟକ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଶେଷ ହୋଇଥିବାରୁ ଚୀନ୍ର ପିପୁଲ୍ସ ଲିବରେସନ ଆର୍ମି ଏବେ ଅତିଷ୍ଠ ହୋଇଉଠିଛି। ଏକ ସୁଦୃଢ଼ ଭିତ୍ତିଭୂମି ଦ୍ବାରା ଚୀନ୍ର ସମସ୍ତ ଗତିବିଧି ଉପରେ ନଜର ରଖିବା ଭାରତ ପାଇଁ ସହଜ ହୋଇଯାଇଥିବାରୁ ଚୀନ୍ ଏବେ କେବଳ ଭାରତକୁ ଉସୁକାଇବା ଭଳି ପଦକ୍ଷେପ ନେଉଛି। ଗତ ଜୁନ୍ ୨୫ରେ ପୂର୍ବ ଲଦାଖରେ ଚୀନ୍ ଭାରତୀୟ ଅଞ୍ଚଳର ଅତି ନିକଟରେ ଯୁଦ୍ଧ ବିମାନ ଉଡ଼ାଇ ଥିଲା। ଏହି ପ୍ରସଙ୍ଗରେ ଭାରତ ଚୀନ୍କୁ କମାଣ୍ଡରସ୍ତରୀୟ ବୈଠକରେ ଘେରିଥିଲା। ଲଦାଖ ସୀମାରେ ଖୁବ୍ଶୀଘ୍ର ଏସ୍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ମୁତୟନ ହେବାକୁ ଯାଉଥିବା ନେଇ ସପ୍ତାହକ ତଳେ ବାୟୁସେନା ମୁଖ୍ୟଙ୍କ ଘୋଷଣା ଚୀନ୍ର ଚିନ୍ତା ବଢ଼ାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/lac.jpg)