ଚୀନ୍‌ ସେନା ହଟାଇବାକୁ ବାଧ୍ୟ: ଭାରତ

ସପ୍ତମ କମାଣ୍ଡରସ୍ତରୀୟ ଆଲୋଚନାରେ ଚୀନ୍‌କୁ କଡ଼ା ଚେତାବନୀ

ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍‌ ମଧ୍ୟରେ ହୋଇଥିବା ସପ୍ତମ କମାଣ୍ଡରସ୍ତରୀୟ ଆଲୋଚନାକୁ ଚୀନ୍‌ ସକରାତ୍ମକ ଏବଂ ଗଠନମୂଳକ ବୋଲି କହିଥିଲେ ମଧ୍ୟ ଏଲ୍‌ଏସିରୁ ସେନା ହଟାଇବା ନେଇ ସ୍ଥିତି ସ୍ପଷ୍ଟ କରିନାହିଁ। ଅନ୍ୟପକ୍ଷରେ ଭାରତ ବୈଠକରେ ସ୍ପଷ୍ଟ କରିଦେଇଥିଲା ଯେ ଚୀନ୍‌ ନିଜ ସେନାକୁ ତୁରନ୍ତ ହଟାଇବା ଦିଗରେ ପଦକ୍ଷେପ ନେବାକୁ ହେବ ଏବଂ ଭାରତ ଏଥିରେ ସାମାନ୍ୟତମ ସାଲିସ କରିବ ନାହିଁ। ପୂର୍ବ ଲଦାଖ୍‌ର ଭାରତୀୟ ଏଲ୍‌ଏସି ପାର୍ଶ୍ବରେ ଗତକାଲି ଚୁସୁଲ୍‌ରେ ଏହି କମାଣ୍ଡରସ୍ତରୀୟ କଥାବାର୍ତ୍ତା ହୋଇଥିଲା। ଏହି ଆଲୋଚନାରେ ବହୁ ଶୀର୍ଷ ସାମରିକ କମାଣ୍ଡର ଏବଂ ଉଭୟ ରାଷ୍ଟ୍ରର ବିଦେଶ ମନ୍ତ୍ରାଳୟ ପ୍ରତିନିଧି ଯୋଗ ଦେଇଥିଲେ।

ଉଭୟ ଭାରତ ଏବଂ ଚୀନ୍‌ ସୀମା ବିବାଦର ସମାଧାନ ପାଇଁ ସାମରିକ ଓ କୂଟନୈତିକ ଉପାୟରେ କଥାବାର୍ତ୍ତା ପାଇଁ ରାଜି ହୋଇଛନ୍ତି ଏବଂ ବିବାଦର ସମାଧାନ ପାଇଁ ଖୁବ୍‌ ଶୀଘ୍ର ଉଭୟ ପକ୍ଷକୁ ସୁହାଇବା ଭଳି ନିଷ୍କର୍ସ ବାହାରିବ ବୋଲି ବିବୃତିରେ କୁହାଯାଇଛି। ତେବେ ଚୀନ୍‌ ସେନା ହଟାଇଲେ ହିଁ ଉତ୍ତେଜନାହ୍ରାସ ଦିଗରେ ବାଟ ଫିଟିବ ବୋଲି ଭାରତ କହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତକାଲି ସୀମା ଅଞ୍ଚଳରେ ୪୪ଟି ନୂଆ ସେତୁ ଉଦ୍‌ଘାଟନ କରିିଥିବାରୁ ଚୀନ୍‌ ଆଜି ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଚୀନ୍‌ କହିଛି, ଭାରତ ଦ୍ବାରା ବେଆଇନ ଭାବେ ପ୍ରତିଷ୍ଠା ହୋଇଥିବା ଲଦାଖ୍‌ କେନ୍ଦ୍ରଶାସିତ ଅଞ୍ଚଳକୁ ଏହା ସ୍ବୀକୃତି ଦେବନାହିଁ ଏବଂ ଏହି ଅଞ୍ଚଳରେ କୌଣସି ଭିତ୍ତିଭୂମି ନିର୍ମାଣକୁ ବିରୋଧ କରିବ। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ୍‌ କହିଛନ୍ତି, ସୀମା ଭିତ୍ତିଭୂମି ବିକାଶ ଦୁଇ ରାଷ୍ଟ୍ର ମଧ୍ୟରେ ଅଶାନ୍ତି ବୃଦ୍ଧି କରିବାର ଏକ ମୂଳ କାରଣ। କୌଣସି ରାଷ୍ଟ୍ର ବି ଉତ୍ତେଜନା ବଢ଼ାଇବା ଭଳି କାମ ନକରିବା ଉଚିତ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର