ଲଦାଖ ସଂଘର୍ଷ ପରେ ପ୍ରଥମ: ଚଳିତ ମାସରେ ଭାରତ ଗସ୍ତରେ ଆସିପାରନ୍ତି ଚୀନ୍‌ର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ମାସ ଶେଷ ଆଡ଼କୁ ବରିଷ୍ଠ ଚୀନା ନେତା ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୟି ଭାରତ ଗସ୍ତରେ ଆସିପାରନ୍ତି ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ କହିଛନ୍ତି।

୨୦୨୦ ମେ’ ରୁ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତ ଓ ଚୀନ୍‌ ମଧ୍ୟରେ ଅଚଳାବସ୍ଥା ଆରମ୍ଭ ହେବା ଏବଂ ଜୁନ୍‌ରେ ସୈନିକମାନଙ୍କ ମଧ୍ୟରେ ଭୟାବହ ସଂଘର୍ଷ ଘଟିବା ପର ଠାରୁ ଏହା ହେଉଛି କୌଣସି ବରିଷ୍ଠ ଚୀନା ନେତାଙ୍କ ପ୍ରଥମ ଭାରତ ଗସ୍ତ।

ଭାରତ ଆଗମନ ପୂର୍ବରୁ ସେ ନେପାଳ ଦେଇ ଆସିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ବିଶେଷ ସଫଳତା ହାସଲ କରି ନ ଥିଲେ ବି ଲଦାଖ ପରିସ୍ଥିତି ସମାଧାନ ନିମନ୍ତେ ଭାରତ ଓ ଚୀନ୍‌ ମଧ୍ୟରେ ସାମରିକସ୍ତରୀୟ ଆଲୋଚନା ଚାଲିଛି। ଏହି ଆଲୋଚନା ଏବେ ୧୫ଶ ପର୍ଯ୍ୟାୟରେ ପହଞ୍ଚିଛି।

Image Courtesy of The Economic Times

ତାରିଖ କି, ଯୋଜନା ଧାର୍ଯ୍ୟ ହୋଇ ନ ଥିବା ୟିଙ୍କର ଏହି ଗସ୍ତ ପ୍ରସ୍ତାବ ଚୀନ୍‌ ତରଫରୁ ଆସିଛି। ‘ଷ୍ଟେଟ୍‌ କାଉନ୍‌ସିଲର୍‌’ ପାହ୍ୟାରେ ଥିବା ୟି ଏହି ସମୟରେ ନେପାଳ, ବାଂଲାଦେଶ, ଭୁଟାନ ଏବଂ ପାକିସ୍ତାନ ଗସ୍ତରେ ମଧ୍ୟ ଯାଇପାରନ୍ତି।

ମଙ୍ଗଳବାର ଦନ ‘ଦି କାଠମାଣ୍ଡୁ ପୋଷ୍ଟ୍‌’ ରିପୋର୍ଟ କରିଥିଲା ଯେ, ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ, ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୁର୍‌ ଦେଉବା ଏବଂ ନେପାଳୀ ବୈଦେଶିକ ମନ୍ତ୍ରୀ ନାରାୟଣ ଖଣ୍ଡକାଙ୍କ ସହିତ ଆଲୋଚନା କରିବା ଲାଗି ମାର୍ଚ ୨୬/୨୭ ତାରିଖ ଦିନ ୟି ନେପାଳ ଆସିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର