ବେଜିଂ : ଚୀନର ବୈଦେଶିକ ମନ୍ତ୍ରୀ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତେବେ କୌଣସି ବୟାନ କିମ୍ବା ନିଷ୍ପତ୍ତି ଯୋଗୁଁ ନୁହେଁ ବରଂ ସେ ନିଖୋଜ ହୋଇଯିବା କାରଣରୁ ତାଙ୍କର ଚର୍ଚ୍ଚା ଦ୍ରୁତ ଗତିରେ ଚାଲିଛି । ତାଙ୍କ ନିଖୋଜ ହେବା ପଛରେ ଲୋକମାନେ ସବୁ ପ୍ରକାର କଳ୍ପନାଜଳ୍ପନା କରୁଛନ୍ତି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ ନିଖୋଜ ହେବାର ଗୁଜବକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଚାଲିଛି । କିନ୍ତୁ ଯେଉଁ ଗୁଜବକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ତାହା ହେଉଛି, ଜଣେ ଟେଲିଭିଜନ ସାମ୍ବାଦିକାଙ୍କ ସହ ତାଙ୍କ ଅବୈଧ ସମ୍ପର୍କ । ଲୋକମାନଙ୍କ ଚର୍ଚ୍ଚା ଅନୁସାରେ ଏହି ସମ୍ପର୍କ ଯୋଗୁଁ ସେ ନିଖୋଜ ହୋଇଯାଇଛନ୍ତି ।
ତେବେ ଚୀନ୍ ସରକାର କହିଛନ୍ତି ଯେ ଖରାପ ସ୍ୱାସ୍ଥ୍ୟ କାରଣରୁ କିନ୍ ଗ୍ୟାଙ୍ଗ୍ ସର୍ବସାଧାରଣରେ ଉପସ୍ଥିତ ରହିବାରୁ ବଞ୍ଚିତ ହୋଇଛି । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ସରକାରୀ ବୟାନ ଏବଂ ସରକାରୀ ଗଣମାଧ୍ୟମ ରିପୋର୍ଟରେ ମଧ୍ୟ କିନ୍ ଗ୍ୟାଙ୍ଗଙ୍କ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଜୁନ୍ ୨୫ରେ ଗସ୍ତରେ ଆସିଥିବା ରୁଷିଆ, ଶ୍ରୀଲଙ୍କା ଓ ଭିଏତନାମ ଅଧିକାରୀଙ୍କ ସହ କିନ୍ ଗ୍ୟାଙ୍ଗଙ୍କ ଶେଷ ସାର୍ବଜନୀନ କାର୍ଯ୍ୟକ୍ରମ ଥିଲା ।
ଅନ୍ୟପକ୍ଷରେ ହଂକଂର ଏକ ସମ୍ବାଦପତ୍ରର ରିପୋର୍ଟ ଅନୁସାରେ ସେ କରୋନା ସଂକ୍ରମିତ ହୋଇଥିବାରୁ ସାର୍ବଜନୀନ ଜୀବନରୁ ଦୂରେଇ ରହିଛନ୍ତି ।