ବ୍ରିଟେନ୍‌ ଠାରୁ ଚୀନ୍‌ରେ ଅଧିକ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀ

ମୁମ୍ବାଇ: ଇଂଲଣ୍ଡ୍‌ ଅପେକ୍ଷା ଚୀନ୍‌ର ଅଧିକ ଭାରତୀୟ ଛାତ୍ର ଅଛନ୍ତି ବୋଲି ସଦ୍ୟ ପ୍ରକାଶିତ ଏକ ତଥ୍ୟରୁ ଜଣାପଡ଼ିଛି। ୨୦୧୦-୧୧ ମସିହା ଠାରୁ ଚୀନ୍‌କୁ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଡାକ୍ତରୀ ପଢ଼ିବାକୁ ଯାଉଛନ୍ତି। ବିଶେଷଜ୍ଞମାନଙ୍କ ମତରେ ‘ଏନ୍‌ଇଇଟ୍‌’ ଯୋଗୁଁ ଭାରତରେ ଡାକ୍ତରୀ ଶିକ୍ଷା ପାଇଁ ଆଡ୍‌ମିସନ୍‌ କ୍ରାଇଟେରିଆ ପରିବର୍ତ୍ତନ ହେବା ଫଳରେ ଡାକ୍ତରୀ ପଢ଼ିବା ଆଶାୟୀ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଚୀନ୍‌ ପଳାଇଯାଉଛନ୍ତି।

ଏହା ବ୍ୟତିରେକେ, ଏବେ ଚୀନ୍‌ରେ ବହୁ ଭାରତୀୟ ଛାତ୍ର ଇଞ୍ଜିନିୟରିଙ୍ଗ୍‌ ପଢ଼ିବାକୁ ମଧ୍ୟ ଚାହିଁଲେଣି। ଚୀନ୍‌ରେ ଏ ସବୁ ପାଠ୍ୟକ୍ରମ ଶସ୍ତାରେ ପଢ଼ା ଯାଉଛି। ସେଠାକାର ଡାକ୍ତରୀ ଡିଗ୍ରୀକୁ ଇଣ୍ଡିଆନ୍‌ ମେଡିକାଲ୍‌ କାଉନ୍‌ସିଲ୍‌ ମଧ୍ୟ ଅନୁମୋଦନ କରୁଛି। ତା’ଛଡ଼ା ସେଠାରେ ଇଂରାଜୀ ମାଧ୍ୟମରେ ଏହି ପାଠ ପଢ଼ା ଯାଉଛି। ୨୦୧୬ରେ ଚୀନ୍‌ରେ ୧୮, ୧୭୧ ଭାରତୀୟ ଛାତ୍ର ଥିବାବେଳେ ଇଂଲଣ୍ଡ୍‌ରେ ଥିଲେ ୧୮, ୦୧୫।

ଯେଉଁ ଭାରତୀୟ ଛାତ୍ରମାନେ ଏନ୍‌ଇଇଟି କ୍ଲିୟର୍‌ କରି ପାରୁ ନାହାନ୍ତି ସେମାନେ ରୁଷ୍‌ ଠାରୁ ଚୀନ୍‌କୁ ଅଧିକ ପସନ୍ଦ କରୁଛନ୍ତି। କାରଣ ରୁଷ୍‌ରେ ଭାଷା ବାଧକ ସାଜୁଛି। ତା’ଛଡ଼ା ଭାରତରେ ପ୍ରାକ୍ଟିସ୍‌ କରିବା ପାଇଁ ଏମ୍‌ସିଆଇ କ୍ୱାଲିଫାଏ କରିବା ରୁଷ୍‌ ମେଡିକାଲ୍‌ ଗ୍ରାଜୁଏଟ୍‌ମାନଙ୍କ ପାଇଁ କଷ୍ଟକର ବୋଲି ଲୋକମାନଙ୍କର ଧାରଣା ରହି ଆସିଛି। ଚୀନ୍‌ ଡାକ୍ତରୀ

ବିଶ୍ୱବିଦ୍ୟାଳୟରେ ବାର୍ଷିକ ଟ୍ୟୁସନ୍‌ ଫିଜ୍‌ ୨୦୦୦ ଆମେରିକୀୟ ଡଲାରରୁ ୩୦୦୦ ଆମେରିକୀୟ ଡଲାର୍‌ ମଧ୍ୟରେ ରହିଛି। ଏହା ବାଦ ଚଳିବା ଖର୍ଚ ବାବଦରେ ବାର୍ଷିକ ଆଉ ୧୦୦୦ ଆମେରିକୀୟ ଡଲାର୍‌ ଆବଶ୍ୟକ ହୁଏ।

୨୦୧୫ରେ ଚୀନ୍‌ରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା ଥିଲା ୧୩, ୫୦୦। ଚୀନ୍‌କୁ ବହୁ ସଂଖ୍ୟକ ଛାତ୍ର ପଠାଉ ଥିବା ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ଭାରତ ରହିଛି। ଆମେରିକା ଏବଂ ଇଂଲଣ୍ଡ୍‌ ପରେ ଏବେ ଚୀନ୍‌ ଛାତ୍ରଛାତ୍ରୀମାନଙ୍କର ତୃତୀୟ ପସନ୍ଦ ଦେଶ ହୋଇ ପାରିଛି।

ସମ୍ବନ୍ଧିତ ଖବର