ଭାରତ ପାଇଁ ସତର୍କଘଣ୍ଟି ! ପାକିସ୍ତାନକୁ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଯୋଗାଇଲା ଚୀନ

ବେଜିଂ : ପାକିସ୍ତାନକୁ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବାରେ ଲାଗିଛି ଚୀନ । ଏହା ଫଳରେ ଭାରତ ପାଇଁ ଦିନକୁ ଦିନ ଅଧିକ ବିପଦ ସୃଷ୍ଟି ହେବାରେ ଲାଗିଛି । ନିକଟରେ ଚୀନ ପାକିସ୍ତାନକୁ ଏକ ଅତ୍ୟାଧୁନିକ ବୃହତ ଯୁଦ୍ଧ ଜାହାଜ ପ୍ରଦାନ କରିଛି । ଏହି ଯୁଦ୍ଧ ଜାହାଜ ପାକିସ୍ତାନ ନୌସେନାର ଶକ୍ତିବୃଦ୍ଧି କରିବାର ସମ୍ଭାବନା ରହଛି ।

ଚୀନର ସରକାରୀ ନିୟନ୍ତ୍ରିତ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ ଏହି ଯୁଦ୍ଧ ଜାହାଜ ଚାଇନା ଷ୍ଟେଟ୍ ସିପବିଲଡିଂ କର୍ପୋରେସନ ପକ୍ଷରୁ ନିର୍ମାଣ କରାଯାଇଛି । ଗତ ସୋମବାରଦିନ ସାଂଘାଇଠାରେ ଅନୁଷ୍ଠିତ ଏକ ସମାରୋହରେ ଏହି ଜାହାଜର ଜଳାବତରଣ କରାଯାଇଥିଲା । ଏହି ଟାଇପ୍ ୦୫୪ଏ/ପି ଫ୍ରିଗେଟର ନାମ ରଖାଯାଇଛି ପିଏନଏସ ଟୁଘରିଲ । ଏହି ଯୁଦ୍ଧ ଜାହାଜ ଆକାଶକୁ ନିକ୍ଷେପ କରିହେଉଥିବା କ୍ଷେପଣାସ୍ତ୍ର ଓ ସମୁଦ୍ର ତଳେ ନିକ୍ଷେପ କରିହେଉଥିବା କ୍ଷେପଣାସ୍ତ୍ର ଓ ଟର୍ପେଡୋରେ ସଜ୍ଜିତ ରହିଛି । ଏଥିରେ ଅତ୍ୟାଧୁନିକ ରାଡାର ଓ ଗୁପ୍ତଚର ଉପକରଣ ଲାଗିଛି । ଏଥିରେ ମଧ୍ୟ ଇଲେକ୍ଟ୍ରୋନିକ ଓ୍ବାରଫେୟାର ପାଇଁ ଉପକରଣ ଲାଗିଛି । ଏହି ଯୁଦ୍ଧ ଜାହାଜ ଏକ ଜଟିଳ ଯୁଦ୍ଧ ପରିସ୍ଥିତିର ସଫଳ ମୁକାବିଲା କରିପାରିବ ବୋଲି ଗ୍ଲୋବାଲ ଟାଇମ୍ସ କହିଛି । କୌଣସି ବିଦେଶୀ ରାଷ୍ଟ୍ରକୁ ଏତେ ବୃହତ ଯୁଦ୍ଧ ଜାହାଜ ରପ୍ତାନି କରିବାରେ ଏହା ଚୀନ ପାଇଁ ପ୍ରଥମ ଘଟଣା । ଏହି ଯୁଦ୍ଧ ଜାହାଜ ଯୋଗାଣ ପାକିସ୍ତାନ-ଚୀନ ବନ୍ଧୁତ୍ବର ଏକ ବଡ଼ ଉଦାହରଣ ବୋଲି ଗ୍ଲୋବାଲ ଟାଇମ୍ସ କହିଛି ।

 

ସମ୍ବନ୍ଧିତ ଖବର