ଜନତାଙ୍କ ତଣ୍ଟି ଚିପୁଛି ଚୀନ୍‌

ଜିନ୍‌ପିଙ୍ଗ୍‌ଙ୍କୁ ଆଜୀବନ କ୍ଷମତା ପ୍ରସ୍ତାବକୁ ବିରୋଧ, ସୋସିଆଲ୍‌ ମିଡିଆ ଉପରେ କଟକଣା

ବେଜିଂ: ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଅନିର୍ଦ୍ଦିଷ୍ଟ କାଳ ରାଷ୍ଟ୍ରପତି ପଦରେ ରଖିବା ଲାଗି ସମ୍ବିଧାନରେ ହୋଇଥିବା ସଂଶୋଧନକୁ ଖୁବ୍‌ଶୀଘ୍ର ମଂଜୁରି ମିଳିବ। ଏଥିପାଇଁ ଚୀନ୍‌ ସଂସଦରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାରୁ ଦେଶରେ ଏକଛତ୍ରବାଦର ନୂଆ ଯୁଗ ଆରମ୍ଭ ହୋଇଛି ଏବଂ ଏହା ଦମନର ଆଉ ଏକ ଅଧ୍ୟାୟ ଆରମ୍ଭ କରିବ ବୋଲି ବହୁ ବିଶିଷ୍ଟ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ଜିନ୍‌ପିଙ୍ଗ୍‌ଙ୍କ ହାତରେ ଆଜୀବନ କ୍ଷମତା ରଖିବାକୁ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ପ୍ରୟାସ ଚୀନ୍‌କୁ ଏକ ଅନ୍ଧକାର ଯୁଗ ଆଡ଼କୁ ଟାଣିନେବ ବୋଲି ବିଶିଷ୍ଟ ଲେଖକ ସୋ ମା’ କହିଛନ୍ତି। ଏ ବାବଦରେ ସମ୍ବିଧାନ ସଂଶୋଧନ ଗୃହୀତ ହେବାପରେ ଚୀନ୍‌ରେ ଭୟ, ଦ୍ୱନ୍ଦ୍ୱ ଏବଂ ଅରାଜକତା ବ୍ୟାପିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ତେବେ ସୋ ମା’ ସୋସିଆଲ ମିଡିଆରେ ତାଙ୍କ ମତ ରଖୁଥିବାରୁ ସରକାର ତୁରନ୍ତ ତାଙ୍କର ସମସ୍ତ ଆକାଉଣ୍ଟ୍‌କୁ ଅଚଳ କରିଦେଇଛନ୍ତି। ତେବେ ଦେଶର ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ଯୁବ କର୍ମଚାରୀ, ଅବସରପ୍ରାପ୍ତ ଅଧିକାରୀ, ସାମାଜିକ ସଂଗଠନ କମ୍ୟୁନିଷ୍ଟ ପାର୍ଟିର ଏହି ପ୍ରୟାସକୁ ସମାଲୋଚନା କରିବାରେ ମୁଖର ହୋଇ ଉଠିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଯଥା ସମ୍ଭବ ସୋସିଆଲ ମିଡିଆ ଉପରେ କଟକଣା ଜାରି ହୋଇଥିବା ବେଳେ ଉଗ୍ର ମତବ୍ୟକ୍ତ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଛି।

ଚୀନ୍‌ ସମ୍ବିଧାନରେ ରାଷ୍ଟ୍ରପତି ଦୁଇ ଥର କ୍ଷମତାରେ ରହିବା ନିୟମ ରହିଛି। ତେବେ ଏହି ନିୟମରେ ପରିର୍ବତନ ଆଣିବା ଲାଗି ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ନିକଟରେ ସମ୍ବିଧାନ ସଂଶୋଧନ କରିଛି । ରାଷ୍ଟ୍ରପତିଭାବେ ୬୪ ବର୍ଷୀୟ ଜିନ୍‌ପିଙ୍ଗ୍‌ଙ୍କ କାର୍ଯ୍ୟକାଳକୁ ଆଜୀବନ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି। ଦଳ, ସରକାର ଏବଂ ସେନା ମୁଖ୍ୟ ଭାବେ ଜିନ୍‌ପିଙ୍ଗ୍‌ଙ୍କ ହାତରେ ସବୁ କ୍ଷମତା କେନ୍ଦ୍ରୀଭୂତ କରାଯାଇଛି । ତାଙ୍କର ଦ୍ୱିତୀୟ ଅବଧି ଗତ ଅକ୍ଟୋବରରୁ ଆରମ୍ଭ ହୋଇଥିବା ବେଳେ ଏହି ଅବଧିକୁ ଆଜୀବନ କରିବା ପାଇଁ ପ୍ରସ୍ତାବ ମଂଜୁର ହେବାପରେ ଦଳର ଅସନ୍ତୁଷ୍ଟ ନେତାମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଅନେକ ନେତାଙ୍କୁ ଜେଲ୍‌ ପଠାଇ ଦିଆଯାଇଥିବା ବେଳେ ଆଉ କେତେକ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି। ଚୀନ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ପକ୍ଷରୁ ଆସିଥିବା ପ୍ରସ୍ତାବ ସଂସଦରେ ଗୃହୀତ ହେବାରେ ଆଉ କୌଣସି ସମସ୍ୟା ନାହିଁ। ପରିବର୍ତ୍ତିତ ବିଶ୍ୱ ରାଜନୈତିକ ଦୃଶ୍ୟପଟରେ ଜିନ୍‌୍‌ପିଙ୍ଗଙ୍କୁ ସର୍ବଶକ୍ତିମାନ ଭାବେ ଉପସ୍ଥାପନ କରିବା ଏବଂ ଆମେରିକା ରାଷ୍ଟ୍ରପତିଙ୍କଠାରୁ ଅଧିକ କ୍ଷମତାଶଳୀ ଭାବେ ଦେଖାଇବା ପାଇଁ ଚୀନ୍‌ ଯୋଜନା କରିଛି। ଜିନ୍‌ପିଙ୍ଗ୍‌ଙ୍କ ନେତୃତ୍ୱରେ ଦେଶର ବାଣିଜ୍ୟିକ ବିସ୍ତାରରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିବାରୁ ତାଙ୍କର ନେତୃତ୍ୱ ଅଧିକ ସମୟ ପାଇଁ ରାଷ୍ଟ୍ର ଆବଶ୍ୟକ କରୁଛି ବୋଲି ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର