ମୋଦିଙ୍କ ପ୍ରସଂଶାରେ ଶତମୁଖ ଚୀନ ସରକାର, ଗଣମାଧ୍ୟମ ; କାହିଁକି ଜାଣନ୍ତୁ..

ବେଜିଂ: ଅନେକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଭାରତ ସହ ଏକମତ ହେଉନଥିବା ଚୀନ ଆଜି ଗୋଟିଏ ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଛି । ଜଗତିକରଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟକୁ ଚୀନ ପ୍ରସଂଶା କରିବାସହ ଭାରତ ସହ ମିଶି ଜଗତିକରଣ ପାଇଁ କାମ କରିବାକୁ ପ୍ରସ୍ତାବ ଦେଇଛି ।

ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱିଜରଲାଣ୍ଡର ଡାଭୋସଠାରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମରେ କହିଥିଲେ ଯେ ଜଗତିକରଣ ପ୍ରକ୍ରିୟାଟି ଧୀରେ ଧୀରେ ଦୂର୍ବଳ ହେଉଛି । ଦେଶମାନେ ସାରା ବିଶ୍ୱର ବିକାଶ ପାଇଁ କାର୍ଯ୍ୟକରିବା ଅପେକ୍ଷା କେବଳ ନିଜ ସ୍ୱାର୍ଥ ପାଇଁ କାମ କରୁଛନ୍ତି । ଦେଶମାନଙ୍କ ଆତ୍ମକୈନ୍ଦ୍ରୀକ ସୁରକ୍ଷାବାଦୀ ନୀତି ଆତଙ୍କବାଦଠାରୁ ଅଧିକ ବିପଦ ବୋଲି ମୋଦି କହିଥିଲେ ।

ଏହାକୁ ସମର୍ଥନ କରି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନଇଙ୍ଗ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ସୁରକ୍ଷାବାଦ ଉପରେ ଏକ ମନ୍ତବ୍ୟ ଦେଇଛନ୍ତି । ଜଗତିକରଣ ହିଁ ବିଶ୍ୱର ବିକଶିତ ଓ ବିକାଶଶୀଳ ଆଦି ସବୁଦେଶଙ୍କ ବିକାଶରେ ସହାୟକ ହେଉଛି । ଏଣୁ ବିଶ୍ୱରେ ଜଗତିକରଣକୁ ଆହୁରି ସୁଦୃଢ କରିବାକୁ ଭାରତ ସହ ମିଶି କାର୍ଯ୍ୟ କରିବାକୁ ଚୀନ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

କେବଳ ଚୀନ ସରକାର ନୁହେଁ ମୋଦିଙ୍କ ବକ୍ତବ୍ୟକୁ ବେଶ ଗୁରୁତ୍ୱ ଦେଇଛି ଚୀନର ଗଣମାଧ୍ୟମ । ଓ୍ଵାର୍ଲଡ ଇକନୋମିକ ଫୋରମରେ ମୋଦିଙ୍କ ବକ୍ତବ୍ୟକୁ ଚୀନର ମୁଖ୍ୟ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସ ପ୍ରଥମ ପୃଷ୍ଠାରେ ଫଟୋ ସହିତ ପ୍ରକାଶ କରିଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଗତିକରଣ ଯୋଗୁଁ ଚୀନ ହିଁ ବିଶ୍ୱରେ ସବୂୁଠାରୁ ଅଧିକ ଲାଭାବାନ ହୋଇଛି । ବିଭିନ୍ନ ଦେଶକୁ ରପ୍ତାନି କରି ଚୀନ ଅର୍ଥନୀତି ସମୃଦ୍ଧ ହୋଇଛି । ଏଣୁ ଜଗତିକରଣ ବଜାୟରହିଲେ ଚୀନର ହିଁ ଲାଭ ।

ସମ୍ବନ୍ଧିତ ଖବର