ଚୀନର ପୋଷ୍ୟପୁତ୍ର ପାଲଟିଛି ପାକିସ୍ତାନୀ ଆତଙ୍କବାଦୀ ଆଝାର ମାସୁଦ

ଶ୍ରୀନଗର- ଜାମ୍ମୁ ଓ କାଶ୍ମୀରର ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେଉଛି । ଏହି ପ୍ରସଙ୍ଗ କେବଳ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମିତ ହୋଇ ରହିନାହିଁ । କିନ୍ତୁ ଏଥିରେ ଆଉ ଏକ ତୃତୀୟ ତଥା ବଡ଼ ଖେଳାଳୀ ରହିଛି । ସେ ହେଉଛି ଚୀନ । ପାକ୍‌ ଅଧିକୃତ କାଶ୍ମୀର ଦେଇ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର ଯାଇଛି । ଏଣୁ ନିଜର ନିବେଶକୁ ସୁରକ୍ଷିତ ରଖିବାକୁ ଚୀନ କାଶ୍ମୀର ମାମଲାରେ ମୁଣ୍ଡ ପୁରାଉଛି । ଭାରତ ଯେପରି ଆତଙ୍କବାଦକୁ ନେଇ ବ୍ୟସ୍ତ ରହେ ସେଥିଲାଗି ଚୀନ ପାକିସ୍ତାନି ଆତଙ୍କବାଦୀଙ୍କୁ ସବୁ ପ୍ରକାରର ସାହାଯ୍ୟ ଦେବା ଆରମ୍ଭ କରିଛି । ବିଶେଷକରି ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଓ ତାହାର ପ୍ରତିଷ୍ଠାତା ମାସୁଦ ଆଝାର ଚୀନର ପୌଷ୍ୟପୁତ୍ର ପାଲଟିଛି । ଏକଥା କହିଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ତ୍ତ ବିଭାଗ ମନ୍ତ୍ରୀ ନଇମ ଅଖତର ।

କାଶ୍ମୀରରେ ଗତ କିଛି ବର୍ଷ ଧରି ଚାଲିଥିବା ଆତଙ୍କବାଦୀ କାର୍ଯ୍ୟ ଓ ହିଂସାକାଣ୍ଡ ପଛରେ ଜୈସର ହାତ ଥିବା ଜଣାପଡିଛି । ନିକଟରେ ହୋଇଥିବା ସୁଞ୍ଜୁଆନ ସେନା କ୍ୟାମ୍ପ ଆକ୍ରମଣ ପଛରେ ମଧ୍ୟ ଜୈସ ରହିଥିଲା । କାଶ୍ମୀରରେ ଲୋକମାନଙ୍କ ଦ୍ୱାରା କରାଯାଉଥିବା ପଥର ମାଡ଼ ପଛରେ ମଧ୍ୟ ଜୈସର ଯୋଜନା ରହିଛି ଓ ଏହାକୁ ଚୀନ ଆର୍ଥିକ ସହାୟତା ଦେଉଛି । ଆଜି ସେମାନେ ପଥର ମାଡ଼ କରୁଛନ୍ତି, କାଲି ସେମାନଙ୍କ ହାତରେ ଚୀନ ନିର୍ମିତ ବନ୍ଧୁକ ଆସିବ ବୋଲି ସେ କହିଛନ୍ତି ।

ପାକିସ୍ତାନ ଆତଙ୍କବାଦୀ ହାଫିଜ୍‌ ସଇଦ,ସୟଦ ସଲ୍ଲାଉଦ୍ଦିନ ଆଦିକୁ ଜାତିସଂଘ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ କରିଛି । କିନ୍ତୁ ଆଝାର ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯାଇପାରୁନାହିଁ । ଜାତିସଂଘରେ ଚୀନ ଆଝାରକୁ ବାରମ୍ବାର ସୁରକ୍ଷା ଦେଇଆସୁଛି ।

ସମ୍ବନ୍ଧିତ ଖବର