ଏପଟେ ସୀମାରେ ସଂଘର୍ଷ ଚାଲିଥିବା ବେଳେ ସେପଟେ ଚୀନ୍ ଭାରତର ୧ନମ୍ବର ବାଣିଜ୍ୟିକ ସହଯୋଗୀ

ନୂଆଦିଲ୍ଲୀ: ସୀମା ବିବାଦ ମଧ୍ୟରେ ବି ଚୀନ୍ ଭାରତର ୧ନମ୍ବର ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର ବନିଛି । ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ସବୁଠୁ ଅଧିକ ରହିଛି । ଭାରତ ଚୀନ୍ ସୀମାରେ ଗଲୱାନ ସଂଘର୍ଷରେ ଭାରତର ୨୦ଜଣ ଯବାନ ସହିଦ ହେବା ପରେ ଦେଶରେ ଚୀନ୍ ବିରୋଧୀ ପ୍ରତିବାଦ ତେଜିବାରେ ଲାଗିଲା । ଏପରିକି ସାରା ଦେଶରେ ଚୀନ୍ ଓ ଚୀନ୍ ସାମଗ୍ରୀକୁ ବହିଷ୍କାର କରିବା ପାଇଁ ଦାବି ଜୋର ଧରିଲା । ଏହାରି ଭିତରେ ଭାରତ ସରକାର ମଧ୍ୟ ଚୀନ୍ ଆପକୁ ବ୍ୟାନ କଲେ । ପରେ ପରେ ଆତ୍ମିନର୍ଭର ଭାରତ ଯୋଜନା ଚାଲିଲା । କିନ୍ତୁ ଏହାରି ଭିତରେ ଚୀନ୍ ଭାରତର ୧ନମ୍ବର ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର ରହିଛି ।

– ସୀମା ବିବାଦ ପରେ ଭାରତକୁ ଫେରୁଛି ଚୀନ୍ କାରବାର
– ୨୦୧୮ ପରେ ୨୦୨୦ରେ ଚୀନ୍ ଭାରତର ୧ନମ୍ବର ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର ବନିଛି
– ୨୦୧୯ରେ ଚୀନ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ଥିଲା ଆମେରିକା
– ୨୦୨୦ରେ ଚୀନ୍ ପୁଣି ୧ନମ୍ବର ସ୍ଥାନକୁ ଫେରିଛି
– ଦ୍ୱିତୀୟରେ ଆମେରିକା ଓ ତୃତୀୟ ସ୍ଥାନରେ ରହିଛି ୟୁଏଇ

ଗଲୱାନ ସଂଘର୍ଷ ପରେ ଭାରତ ଚୀନ୍ ସମ୍ପର୍କରେ ତିକ୍ତତା ଆସିଥିଲା । ଯାହାର ସିଧାସଳଖ ପ୍ରଭାବ ଦ୍ୱିପାକ୍ଷୀକ ବାଣିଜ୍ୟ ଉପରେ ପଡିଥିଲା । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଟିକ୍ ଟକ୍ ଓ କ୍ଲବ ଫ୍ୟାକ୍ଟ୍ରି ପରି ଅନେକ ଚୀନ୍ ଆପକୁ ବ୍ୟାନ କରିଥିଲେ । ଏହା ସତ୍ୱେ ଭାରି ଯନ୍ତ୍ରପାତି, ଟେଲିକମ ଉପକରଣ ଓ ଘରୋଇ ଉପକରଣ ପାଇଁ ଭାରତ ଚୀନ୍ ଉପରେ ନିର୍ଭରଶୀଳ । ଯାହାଫଳରେ ୨୦୨୦ରେ ଚୀନ୍ ପୁଣି ଥରେ ଭାରତର ଏକ ନମ୍ବର ବାଣିଜିକ୍ୟ ସହଯୋଗୀ ରାଷ୍ଟ୍ର ହୋଇଛି ।

କମର୍ସ ମନ୍ତ୍ରାଳୟ ଅନୁସାରେ ୨୦୨୦ରେ ଭାରତ ଓ ଚୀନ୍ ମଧ୍ୟରେ ୭୭.୭ ବିଲିୟନ ଡଲାରର ଦ୍ୱିପାକ୍ଷିକ କାରବାର ହୋଇଥିଲା । ଗତ ୪ବର୍ଷ ମଧ୍ୟରେ ଏହା ସବୁଠାରୁ କମ ହୋଇଥିଲେ ସୁଦ୍ଧା ଭାରତ ସହ ଦ୍ୱିପାକ୍ଷିକ କାରବାରରେ ଚୀନ୍ ପ୍ରଥମରେ ରହିଛି । ଗତବର୍ଷ ଆମେରିକା ଭାରତର ଏକ ନମ୍ବର ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର ହୋଇଥିବା ବେଳେ ଉଭୟ ଦେଶ ମଧ୍ୟରେ ୯୦.୧ ପ୍ରତିଶତ ବିଲିୟନ ଡଲାରର କାରବାର ହୋଇଥିଲା । ୨୦୧୭,୧୮,୧୯ ଓ ୨୦୨୦ର କଥା କହିଲେ ୪ବର୍ଷରୁ ୩ଥର ଚୀନ୍ ପ୍ରଥମ ସ୍ଥାନରେ ରହିଛି । କେବଳ ଏତିକି ନୁହେଁ ୟୁରୋପୀୟ ସଂଘର ମଧ୍ୟ ସବୁଠୁ ବଡ ବାଣିଜ୍ୟିକ ସହଭାଗୀ ହେଉଛି ଚୀନ୍ । ଏହାସହ ଗତ ୫ବର୍ଷ ହେଲା ଜର୍ମାନୀର ମଧ୍ୟ ୧ନମ୍ବର ବାଣିଜ୍ୟିକ ସହଯୋଗୀ ବନିଛି ଚୀନ୍ ।

ସମ୍ବନ୍ଧିତ ଖବର