ନୂଆଦିଲ୍ଲୀ : ଭାରତ-ଚୀନ୍ ସୀମା ବିବାଦ ଏବେ ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ଅନେକ ରାଷ୍ଟ୍ର ମଧ୍ୟ ଭାରତକୁ ପରୋକ୍ଷରେ ସମର୍ଥନର ହାତ ବଢ଼ାଇଛନ୍ତି। କିନ୍ତୁ ଏଭଳି କ ସ୍ଥିତିରେ ଚୀନ୍ର ଅନ୍ୟ କେଉଁ ରାଷ୍ଟ୍ରମାନଙ୍କ ସହ ସୀମା ବିବାଦ ରହିଛି ତାହା ମଧ୍ୟ ଆଲୋଚନାର ବିଷୟ ହୋଇଛି। ଚୀନ୍ର ମୋଟ୍ ୧୮ଟି ରାଷ୍ଟ୍ର ସହ ସୀମା ବିବାଦ ରହିଛି। ପ୍ରଥମରେ ଚୀନ୍ର ଭାରତ ସହ ବଡ଼ ଧରଣର ସୀମା ବିବାଦ ରହିଛି। ଭାରତକୁ ଛାଡ଼ିଦେଲେ ଚୀନ୍ର ନେପାଳ ସହ ମଧ୍ୟ ସୀମା ବିବାଦ ରହିଛି। ଚୀନ୍ ନେପାଳର କିଛି ଅଂଶ ଅକ୍ତିଆର କରିନେଇଛି। ନେପାଳର ଦୋଲାଖା, ହୁମ୍ଲା, ସିନ୍ଧୁପାଲ୍ଚୌକ, ସଂଖୁବାସଭା, ଗୋର୍ଖା ଏବଂ ରସୁୱା ଜିଲ୍ଲାର ୬୪ ହେକ୍ଟର ଜମିକୁ ଚୀନ୍ ଅକ୍ତିଆର କରିନେଇଛି। ପୂର୍ବରୁ ଗତ ମେ'ରେ ଚୀନ୍ର ରାଷ୍ଟ୍ରାୟତ୍ତ ଗଣମାଧ୍ୟମରେ ଏହା କୁହାଯାଇଥିଲା ଯେ, ମାଉଣ୍ଟ୍ ଏଭରେଷ୍ଟ୍ ନେପାଳର ଅଂଶବିଶେଷ ନୁହେଁ , ବରଂ ଏହା ଚୀନ୍ର ଅଂଶବିଶେଷ। ଏହାଦ୍ବାରା ଚୀନ୍ରେ ତୀବ୍ର ଉତ୍ତେଜନା ଖେଳି ଯାଇଥିଲା। ଭୁଟାନ୍ ସହ ମଧ୍ୟ ଚୀନ୍ର ସୀମା ବିବାଦ ରହିଛି। ୨୦୧୭ ଜୁଲାଇରେ ଚୀନ୍ର ଭୂଟାନ୍ ସହ ସୀମା ବିବାଦ ଅତି ଉଗ୍ର ରୂପ ନେଇଥିଲା। ଡୋକଲାମ୍ ବିବାଦ ପରେ ମଧ୍ୟ ଚୀନ୍ର ଭୂଟାନ୍ ସହ ସୀମା ବିବାଦ ବଢ଼ିଥିଲା।
ଅନ୍ୟପକ୍ଷେ ଚୀନ୍ର ତାଇୱାନ୍, ବ୍ରୁନେଇ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ଭିଏତନାମ ଏବଂ ଜାପାନ ସହ ସାମୁଦ୍ରିକ ବିବାଦ ରହିଛି। ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଏହାର ଆଧିପତ୍ୟ ବିସ୍ତାର କରି ଚାଲିଛି। ବିଶାଳ ସମ୍ପଦ ଥିବା ଏହି ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ନିଜର ନୌସେନା ଉପସ୍ଥିତି ମଧ୍ୟ ବଢ଼ାଇଛି। ସେହିପରି ଭିଏତନାମ, ଜାପାନ୍, ତାଇୱାନ୍, ଫିଲିପାଇନ୍ସ, ଉତ୍ତର କୋରିଆ, ରୁଷ୍ , ସିଙ୍ଗାପୁର, ଦକ୍ଷିଣ କୋରିଆ, ଲାଓସ୍, ତାଜିଜିସ୍ତାନ, କାମ୍ବୋଡିଆ, ମଙ୍ଗୋଲିଆ, ତିବ୍ଦତ ସହ ଚୀନ୍ର ସୀମା ବିବାଦ ରହିଛି।