ଚୀନ ଭାରତ ଉପରେ ସାଇବର ଆକ୍ରମଣ କରିବାକୁ ସକ୍ଷମ : ସିଡିଏସ

ନୂଆଦିଲ୍ଲୀ : ସାଇବର ପ୍ରଯୁକ୍ତି କ୍ଷେତ୍ରରେ ଚୀନ ଭାରତଠାରୁ ଆଗୁଆ ଅଛି । ଚୀନ ଭାରତ ଉପରେ ସାଇବର ଆକ୍ରମଣ କରିବାକୁ ସକ୍ଷମ ବୋଲି ସତର୍କ କରାଇଦେଇଛନ୍ତି ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଜେନେରାଲ ବିପିନ ରାଓ୍ବତ । ଭାରତର ସାଇବର ବିଶେଷଜ୍ଞମାନେ ଫାୟାର ଓ୍ବାଲ ସୃଷ୍ଟି କରିପାରିବେ, କିନ୍ତୁ ଏକ ସାଇବର ଆକ୍ରମଣ ହେଲେ କେତେ ଶୀଘ୍ର ତାହାର ମୁକାବିଲା କରିପାରିବେ ତାହା ହିଁ ଗୁରୁତ୍ବପୂର୍ଣ୍ଣ ।

ଏହି ଆହ୍ବାନର ମୁକାବିଲା ପାଇଁ ଆମକୁ ବିକଶିତ ପାଶ୍ଚାତ୍ୟ ଦେଶମାନଙ୍କ ସହ ସହଯୋଗିତା ବଢାଇବାକୁ ପଡ଼ିବ । ସେହିପରି ତିନି ବାହିନୀ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରି ସାଇବର ଆକ୍ରମଣକୁ ରୋକି ହେବ । ଆଧୁନିକ ଯୁଗରେ ଯୁଦ୍ଧ କେବଳ ଯୁଦ୍ଧଭୂମି ରେ ଲଢାଯିବ ନାହିଁ । ବରଂ ଟେକନଲୋଜୀକୁ ନେଇ ଲଢେଇ ହେବ । ଏପରି ଆକ୍ରମଣ ସୀମାବର୍ତ୍ତୀ ଇଲାକା ନୁହେଁ ବରଂ ଗୋଟିଏ ଦେଶର କେନ୍ଦ୍ରସ୍ଥଳ ବା ଗୁରୁତ୍ବପୂର୍ଣ୍ଣ ସ୍ଥାନ ଉପରେ କରାଯିବ । ଆଜିକାଲି ସାମରିକ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ କ୍ବାଣ୍ଟମ କମ୍ପ୍ୟୁଟିଂ ପରି ଅତ୍ୟାଧୁନିକ ଟେକନଲୋଜୀର ବ୍ୟବହାର କରାଯାଉଛି । କିନ୍ତୁ ଏସବୁ କ୍ଷେତ୍ରରେ ଭାରତ ପଛେଇ ଯାଇଛି । ତେବେ ଏ ଦିଗରେ ଭାରତରେ କିଛିଟା ଉଦ୍ୟମ ଆରମ୍ଭ ହୋଇଯାଇଛି ବୋଲି ସେ କହିଛନ୍ତି । ସେହିପରି ଆଧୁନିକ ଯୁଗରେ ଡ୍ରୋନର ବ୍ୟବହାର ବଢିଯାଇଛି । ଏଣୁ ସେନାକୁ ଆଧୁନିକ ଟେକନଲୋଜୀକୁ ଗ୍ରହଣ କରିବାକୁ ପଡ଼ିବ ।

ସମ୍ବନ୍ଧିତ ଖବର