ଚୀନ ସମଗ୍ର ବିଶ୍ୱକୁ ବଡ଼ କ୍ଷତି ପହଞ୍ଚାଇଛି : ଟ୍ରମ୍ପ

ଓ୍ଵାସିଂଟନ ଡିସି : କରୋନାକୁ ନେଇ ପୁଣି ଥରେ ଚୀନକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଜି ସେ ଟ୍ଵିଟରରେ ଲେଖିଛନ୍ତି ଯେ ଚୀନ ଆମେରିକା ଓ ସମଗ୍ର ବିଶ୍ୱକୁ ବଡ଼ଧରଣର କ୍ଷତି ପହଞ୍ଚାଇଛି ।

ଦୁଇଦିନ ପୂର୍ବେ ଆମେରିକାର ସ୍ୱାଧୀନତା ଦିବସ ଉପଲକ୍ଷେ ମଧ୍ୟ ସେ ଚୀନକୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ ଚୀନର ଏହି ରୋଗ ବ୍ୟାପିନଥାନ୍ତା, କିନ୍ତୁ ସେମାନେ ତାହାକୁ ବ୍ୟାପିବାକୁ ଦେଲେ । ଚୀନର ଗୋପନୀୟତା, ସବୁ କଥା ଲୁଚାଇବାର ଅଭ୍ୟାସ ଯୋଗୁଁ କରୋନା ଭାଇରସ ସାରା ବିଶ୍ୱରେ ବ୍ୟାପିଗଲା । ଏଥିପାଇଁ ଚୀନକୁ ଦାୟୀ କରାଯିବା ଉଚିତ ।

ସୂଚନାଯୋଗ୍ୟ ଯେ ସମଗ୍ର ବିଶ୍ୱରେ କରୋନା ସଂକ୍ରମିତ ସଂଖ୍ୟା ୧ କୋଟି ୧୩ ଲକ୍ଷରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ୩୧ ହଜାରରେ ପହଞ୍ଚିଛି । କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ଏହି ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୩୦ ଲକ୍ଷ ନିକଟବର୍ତ୍ତୀ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୨ ହଜାର ଛୁଇଁଛି । ଆମେରିକା ପଛକୁ ରହିଛନ୍ତି ବ୍ରାଜିଲ ଓ ଭାରତ । ବ୍ରାଜିଲରେ ମୋଟ ଆକ୍ରାନ୍ତ ସଂଖ୍ୟା୧୬ ଲକ୍ଷ ଟପିଥିବାବେଳେ ଭାରତରେ ମୋଟ ଆକ୍ରାନ୍ତ ସଂଖ୍ୟା ୭ ଲକ୍ଷ ଛୁଇଁଛି ।

ସମ୍ବନ୍ଧିତ ଖବର