ନୂଆଦିଲ୍ଲୀ: ଚୀନ୍ ଏବେ ଅରୁଣାଚଳପ୍ରଦେଶକୁ ନେଇ ପୁଣି ନୂଆ ଚାଲ୍ ଖେଳିଛି। ଅରୁଣାଚଳର ୧୧ଟି ସ୍ଥାନର ପୁନଃ ନାମକରଣ କରି ଚୀନ୍ ବଡ଼ ହଟଚମଟ ସୃଷ୍ଟି କରିଥିବା ବେଳେ ଭାରତ ଏହାର ଜୋର୍ଦାର ବିରୋଧ କରିଛି। ଚୀନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଗତକାଲି ଭାରତର ୧୧ଟି ଅଂଚଳକୁ ନିଜ ନିଜର ଦର୍ଶାଇ ନୂତନ ନାମ ତାଲିକା ଜାରି କରିଛି। ଚୀନ୍ ଏହି ଅଞ୍ଚଳଗୁଡ଼ିକର ନାମ ଚୀନୀ, ତିବ୍ଦତୀୟ ଏବଂ ପିନୟିନ ଭାଷାରେ ରଖିଛି। ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ୨ଟି ସମତଳ ଅଞ୍ଚଳ, ୨ଟି ଆବାସିକ ଅଞ୍ଚଳ, ୫ଟି ପର୍ବତ ଶିଖର ଏବଂ ୨ଟି ନଦୀ ଅଛି। ତେବେ ଏହା ପ୍ରଥମ ଥର ନୁହେଁ ଚୀନ୍ ତୃତୀୟ ପର୍ଯ୍ୟାୟରେ ଅରୁଣାଚଳପ୍ରଦେଶରେ ୧୧ଟି ଅଞ୍ଚଳର ପୁନଃ ନାମକରଣ କରିଛି। ଏହା ପୂର୍ବରୁ ଚୀନ୍ ଅନ୍ୟ ୨ଟି ପର୍ଯ୍ୟାୟରେ ଅନ୍ୟ କେତେକ ଅଞ୍ଚଳର ନାମକରଣ କରିଥିଲା। ଭାରତ ଚୀନ୍ର ଏହି ଉତ୍ତେଜନା ସୃଷ୍ଟିକାରୀ ପ୍ରୟାସକୁ ତୀବ୍ର ନିନ୍ଦା କରିବା ସହ ନାମକରଣକୁ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଅରୁଣାଚଳ ପ୍ରଦେଶ ସବୁବେଳେ ଭାରତର ଅବିଚ୍ଛେଦ୍ୟ ଅଂଶ ରହିଛି ଏବଂ ଆଗକୁ ମଧ୍ୟ ରହିବ।
ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଚୀନ୍ ଅରୁଣାଚଳରେ କିଛି ସ୍ଥାନ ପାଇଁ ନୂଆ ନାମ ଘୋଷଣା କରିଥିବା ରିପୋର୍ଟ ଆମେ ଦେଖିଛୁ। ଚୀନ୍ ପୂର୍ବରୁ ମଧ୍ୟ ଏଭଳି ଉଦ୍ୟମ କରିଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି। ଅରୁଣାଚଳପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଏହି ସ୍ଥିତିକୁ କେହି ପରିବର୍ତ୍ତନ କରିପାରିବେ ନାହିଁ। ସୂଚନାଯୋଗ୍ୟ, ଦଲାଇଲାମା ଅରୁଣାଚଳ ଗସ୍ତ କରିବା ପରେ ଚୀନ୍ ୨୦୧୭ରେ ପ୍ରଥମେ ଅରୁଣାଚଳପ୍ରଦେଶର ୬ଟି ଅଞ୍ଚଳର ପୁନଃନାମକରଣ କରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ୨୦୨୧ରେ ଅରୁଣାଚଳର ୧୫ଟି ସ୍ଥାନର ଚୀନ୍ ନାମକରଣ କରିଥିଲା।