ୱାସିଂଟନ୍‌: ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ-ଚୀନ୍‌ ସେନା ସଂଘର୍ଷ ପରେ ସୀମା ସ୍ଥିତିକୁ ଆମେରିକା ଅତି ଭଲଭାବେ ଯାଞ୍ଚ କରୁଛି। ଭାରତ-ଚୀନ୍‌ ସୀମା ଏଲ୍‌ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ଅଂଚଳର ସ୍ଥିତି ଉପରେ ଆମେ ଅହରହ ନଜର ରଖିଛୁ ବୋଲି ପେଣ୍ଟାଗନ୍‌ ପକ୍ଷରୁ ଏକ ପ୍ରେସ୍‌ ବିବୃତି ଜାରି କରି କୁହାଯାଇଛି। ଏଲ୍‌ଏସି ନିକଟସ୍ଥ ଅଞ୍ଚଳରେ ସାମରିକ ଭିତ୍ତିଭୂମି ସୁଦୃଢ଼ ସହ ଚୀନ୍‌ ଲଗାତାର ସେନା ମୁତୟନ ବଢ଼ାଇ ଚାଲିଛି ବୋଲି ପେଣ୍ଟାଗନ ପ୍ରେସ୍‌ ସଚିବ ପାଟ୍‌ ରାଇଡର କହିଛନ୍ତି। ଉଲ୍ଳେଖଯୋଗ୍ୟ, ଅରୁଣାଚଳରେ ଚୀନ୍‌ର ଭାରତୀୟ ସୀମା ଅତିକ୍ରମଣ ଉଦ୍ୟମ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତକାଲି ସଂସଦରେ ବିବୃତି ରଖିଥିବା ବେଳେ ଆଜି ଆମେରିକା ପକ୍ଷରୁ ପ୍ରେସ୍‌ ବିବୃତି ଜାରି ହୋଇଛି।